ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କ୍ରାଇମବ୍ରାଁଚ ଘଟଣାର ତଦନ୍ତ କଲେ ପ୍ରକୃତ ସତ ପଦାକୁ ଆସିବ । ଦୋଷୀ ଧରାପଡିବ । ଯେଉଁ ଆଶା ଓ ବିଶ୍ୱାସ ନେଇ କ୍ରାଇମବ୍ରାଁଚ ତଦନ୍ତ ଆରମ୍ଭ କରିଥିଲା ତାହା ଏବେ ମଉଳି ଯାଇଛି । ସିଧା କହିବାକୁ ଗଲେ ଏବେ ହାତ ଟେକି ଦେଇଛି କ୍ରାଇମବ୍ରାଁଚ । ଆମେ କହୁଛୁ ଆରମ୍ଭରୁ ରହସ୍ୟଜନକ ମନେ ହେଉଥିବା ଓ ତଦନ୍ତର ପ୍ରଥମ ପର୍ଯ୍ୟାୟରୁ ଜଟିଳ ହୋଇପଡ଼ିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ସମ୍ପର୍କରେ ।
କ୍ରାଇମବ୍ରାଁଚ ଟିମ କଟକ ଫେରିଆସିଛନ୍ତି । କେବଳ ସାଇବର ଟିମର ତଦନ୍ତ ଉପରେ ଭରସା କରି କିଛି ସୁରାକ ପାଇବା ଆଶାରେ କ୍ରାଇମବ୍ରାଁଚ ଏସଆଇଟି ହାତ ଟେକି ଦେଇଛି । ଏବେ ଗମ୍ଭୀରସ୍ଥିତିରେ ପହଁଚିଛି ଏହି ବହୁର୍ଚ୍ଚିତ ମାମଲା । ଯେଉଁ ମୋଟିଭ ନେଇ ସ୍ପଷ୍ଟ ହେବା ପରେ ବଲାଙ୍ଗୀର ପୁଲିସ ତଦନ୍ତ ଜାରି ରଖିଥିଲା ସେଠାରେ ହିଁ ଅଟକି ଯାଇଛି କ୍ରାଇମବ୍ରାଁଚ ।
କ୍ରାଇମବ୍ରାଁଚ ତଦନ୍ତ ଭାର ନେବା ପରେ ପାଟଣାଗଡ଼ ଓ ରାୟପୁରରେ ଛାନଭିନ କରିଥିଲେ ମଧ୍ୟ କୌଣସି ସୁରାକ ପାଇପାରିନାହିଁ । କିନ୍ତୁ ଅଟକ ରଖାଯାଇଥିବା ସନ୍ଦିଗ୍ଧ ଯୁବତୀଙ୍କଠାରୁ ମୃତ ସୌମ୍ୟଶେଖରଙ୍କ ସମ୍ପର୍କରେ ଜାଣିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲା ଏସଆଇଟି । ସମ୍ପୃକ୍ତ ଯୁବତୀ ସୌମ୍ୟଶେଖରଙ୍କ ଲିଙ୍କରେ ଥିବାରୁ ତାଙ୍କୁ ମାରାଥନ ଜେରା କରିଥିଲା ଏସଆଇଟି ଟିମ । କିନ୍ତୁ ପାର୍ସଲ ବୋମା ସମ୍ପର୍କରେ କୌଣସି ପ୍ରମାଣ ନପାଇ ଛାଡ଼ି ଦେଇଥିଲା । ଏହା ପରଠାରୁ ତଦନ୍ତର ଆଉ କୌଣସି ଅଗ୍ରଗତି ହୋଇନଥିବା ସୂଚନା ମିଳିଛି । ପାଟଣାଗଡ଼ ଓ ରାୟପୁରରେ ତଦନ୍ତ କରୁଥିବା ଟିମ କଟକ ଫେରିଆସିବା ପରେ ଏବେ ତଦନ୍ତର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତଦନ୍ତକାରୀ ଟିମର ଜଣେ ଅଧିକାରୀଙ୍କ କହିବାନୁଯାୟୀ ପାଟଣାଗଡ଼ କିମ୍ବା ରାୟପୁରରୁ ଘଟଣା ସମ୍ପର୍କରେ କୌଣସି ସୁରାକ ମିଳିଲାନାହିଁ । ଆଇଜିଙ୍କ ତତ୍ୱାବଧାନରେ ଏବେ ସାଇବର ଟିମ ତଦନ୍ତ କରି ଯାହା ସୁରାକ ଦେବ ତଦନୁଯାୟୀ ଏସଆଇଟି ତଦନ୍ତ କରିବ । ଏହି ଚର୍ଚ୍ଚିତ ମାମଲାରେ ଅଭିଯୁକ୍ତକୁ ଧରିବାରେ କ୍ରାଇମବ୍ରାଁଚ ସଫଳ ହେବ କି ନାହିଁ ତାହା ସନ୍ଦେହ ସୃଷ୍ଟି ହୋଇଛି ।