ଭୁବନେଶ୍ୱର,୮ା୨/(ବ୍ୟୁରୋ): ୨୦୧୮ ବର୍ଷ ପାଇଁ ସାରା ଦେଶରେ ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ଆରମ୍ଭ ହୋଇଛି । ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ସ୍ୱଚ୍ଛ ସର୍ବେକ୍ଷଣ ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ଜାରି ରହିଛି । ଚଳିତ ବର୍ଷ ସର୍ବେକ୍ଷଣ ପାଇଁ ରହିଛି ୪ହଜାର ମାର୍କ । ୪ହଜାର ୪୧ଟି ସହରକୁ ଏହି ସର୍ବେକ୍ଷଣରେ ସାମିଲ କରାଯାଇଛି । ଚଳିତ ବର୍ଷ ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ବିଏମ୍ସିର ପ୍ରସ୍ତୁତି ଅଧାପନ୍ତରିଆ ରହିଛି । ଫଳରେ ବିଏମ୍ସି ସ୍ୱଚ୍ଛତା ମାନ୍ୟତା ଏଥର ଖସିବାର ଆଶଙ୍କା ସୃଷ୍ଟି ହୋଇଛି ।
କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ତରଫରୁ ବର୍ଜ୍ୟବସ୍ତୁ ପରିଚାଳନା ସଂକ୍ରାନ୍ତ ନୂତନ ଆଇନ ପ୍ରଣୟନ ହୋଇଛି । ଏଥିରେ ବାୟୋ ମେଡିକାଲ୍ ବର୍ଜ୍ୟ, କଠିନ ବର୍ଜ୍ୟ, ନିର୍ମାଣ ସାମଗ୍ରୀ ବର୍ଜ୍ୟ, ଇ-ବର୍ଜ୍ୟ ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ଭଳି ୬ଟି ପ୍ରକାରର ବର୍ଜ୍ୟବସ୍ତୁ ସଂକ୍ରାନ୍ତରେ ଉଲ୍ଲେଖ କରାଯାଇଛି ।
ଏହି ୬ଟି ବର୍ଜ୍ୟବସ୍ତୁ ପରିଚାଳନାରେ ବିଏମ୍ସି ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ । ପ୍ଲାଷ୍ଟିକ୍ ବର୍ଜ୍ୟ, ଇ-ବର୍ଜ୍ୟ, ନିର୍ମାଣ ସାମଗ୍ରୀ ବର୍ଜ୍ୟ ଓ ବାୟୋମେଡିକାଲ୍ ବର୍ଜ୍ୟ ପରିଚାଳନାରେ ବିଏମ୍ସି ପ୍ରସ୍ତୁତି ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ଇ-ବର୍ଜ୍ୟ ପରିଚାଳନା ଏକ କର୍ମଶାଳାରେ ସୀମିତ ରହିଛି । ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା କେବଳ ପଲିଥିନ୍ କଟକଣାରେ ସୀମିତ ଥିଲା ବେଳେ ନିର୍ମାଣ ସାମଗ୍ରୀ ବର୍ଜ୍ୟ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ ।
ଚଳିତ ବର୍ଷ କଠିନ ବର୍ଜ୍ୟ ପରିଚାଳନା ଓ ଟ୍ରିଟମେଣ୍ଟ୍ ପ୍ଲାଣ୍ଟ୍ ସ୍ଥାପନ ବିଏମ୍ସି ପାଇଁ ମୁଖ୍ୟ ପ୍ରତିବନ୍ଧକ ସାଜିଛି । ରାଜଧାନୀ ଭୁବନେଶ୍ୱରରେ କଠିନ ବର୍ଜ୍ୟ ପରିଚାଳନା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ବେଳେ ଏପର୍ଯ୍ୟନ୍ତ ଟ୍ରିଟମେଣ୍ଟ୍ ପ୍ଲାଣ୍ଟ୍ ସ୍ଥାପନ ହୋଇପାରିଲା ନାହିଁ । ଦାରୁଠେଙ୍ଗ ଟ୍ରିଟମେଣ୍ଟ ପ୍ଲାଣ୍ଟ ମାମଲା ନ୍ୟାୟାଳୟରେ ଝୁଲି ରହିଥିଲା ବେଳେ ବିଏମ୍ସି ଅନ୍ୟ ପ୍ଲାଣ୍ଟ୍ ସ୍ଥାପନ ନେଇ କୌଣସି ପଦକ୍ଷେପ ନେଇନାହିଁ ।
ଚଳିତ ବର୍ଷ ୫ଟି ମିନି ଟ୍ରିଟମେଣ୍ଟ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରାଯାଇଛି । ମାତ୍ର ଏପର୍ଯ୍ୟନ୍ତ ଭୁବନେଶ୍ୱରର କଠିନ ବର୍ଜ୍ୟ ପରିଚାଳନା ପାଇଁ କେଣସି ଟ୍ରିଟମେଣ୍ଟ୍ ପ୍ଲାଣ୍ଟ୍ ନିର୍ମାଣ ହୋଇପାରିଲା ନାହିଁ । ଚଳିତ ଥର ସ୍ୱଚ୍ଛ ସର୍ବେକ୍ଷଣରେ ୩୦ ପ୍ରତିଶତ ନାଗରିକ ମତାମତ ନେଇ ମାର୍କ ରହିଛି । ବିଭିନ୍ନ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଲୋକଙ୍କୁ ଜଡ଼ିତ କରାଯିବା ପାଇଁ ନିର୍ଦ୍ଦେଶ ରହିଛି । ମାତ୍ର ରାଜଧାନୀର ପରିମଳ ଅବସ୍ଥା ଯାହା, ସାଧାରଣ ନାଗରିକ ବିଏମ୍ସି ବିରୋଧରେ ପ୍ରତିକୂଳ ମନ୍ତବ୍ୟ ଦେବାର ଆଶଙ୍କା ସୃଷ୍ଟି ହୋଇଛି ।