ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟରେ ଦବଙ୍ଗ ଅଫିସର । ଜୀବନରୁ ମାରିଦେବାକୁ ହୋଇଛି ବ୍ଲୁପ୍ରିଣ୍ଟ । ଜେଲ ଭିତରୁ କରାଯାଇଥିବା ଏହି ବ୍ଲୁପ୍ରିଣ୍ଟ ରେ ସାମିଲ ରହିଛି ଏକ ଅପରାଧୀ ଗ୍ୟାଙ୍ଗ । ନା ରହିବ ପ୍ରମାଣ ନା’ ମିଳିବ କିଛି ସୁରାକ । ସବୁଦିନ ଲାଗି ହଟିଯିବ ରାସ୍ତାରୁ କଣ୍ଟା । ଆମେ କହୁଛୁ ଅପରାଧୀଙ୍କ ବ୍ୟାଣ୍ଡ ବଜାଉଥିବା ଓ ଏନକାଉଣ୍ଟର ପରେ ଏନକାଉଣ୍ଟର କରି ଲୋକଙ୍କ ବିଶ୍ୱାସ ଜିତିଥିବା ଆଲୋକ ଜେନାଙ୍କ କଥା । ଯିଏ କି’ ଏବେ ରହିଛନ୍ତି ଅପରାଧୀଙ୍କ ଟାର୍ଗେଟରେ । ତାଙ୍କୁ ରାସ୍ତାରୁ ସବୁଦିନ ଲାଗି ହଟାଇବାକୁ ବ୍ରହ୍ମପୁର ଜେଲରେ ଭିତରେ ହୋଇଛି ସାଙ୍ଘାତିକ ଷଡଯନ୍ତ୍ର ।
ଏକ ଅପରାଧୀ ଗୋଷ୍ଠୀ ଏଥିପାଇଁ ସବୁ ପ୍ରକାର ନେଟୱାର୍କ ଲଗାଇ ସାରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ପୁଲିସ ରେକର୍ଡ କହୁଛି କ୍ରାଇମ ଗ୍ରାଫରେ ସବୁଠୁ ଆଗରେ ଥିବା ବ୍ରହ୍ମପୁର ଏବେ ସାମାନ୍ୟ ଶାନ୍ତ ପଡିଛି । ଯେଉଁଠି ଅପରାଧୀମାନେ ଦିନେ ତାଣ୍ଡବ ରଚୁଥିଲେ ଆଜି ସମସ୍ତଙ୍କ ହାତ ବାନ୍ଧି ଦିଆଯାଇଛି । ସେ ରମେଶ ଜେନା ଗ୍ୟାଙ୍ଗ କଥା ହେଉ କି’ ପିଣ୍ଟୁ ଦାସ । ସମସ୍ତଙ୍କୁ ଜେଲ ଖୁଆଡର ରାସ୍ତା ଦେଖାଇଛନ୍ତି ଦବଙ୍ଗ ଅଫିସର ଆଲୋକ ଜେନା । ଗୋଡାଇ ଗୋଡାଇ ଧରିବା ସହ ଜୀବନକୁ ବାଜି ଲଗାଇ ବହୁ ଅପରାଧୀଙ୍କୁ ଏନକାଉଣ୍ଟର କରିଛନ୍ତି । ଖାସ ଏଥିପାଇଁ ଏବେ ତାଙ୍କୁ ଟାର୍ଗେଟ କରାଯାଇଛି ।
ତେବେ ଏଠି ପ୍ରଶ୍ନ ଜେଲରେ ଭିତରେ ଏଭଳି ବ୍ଲୁପ୍ରିଣ୍ଟ ପସ୍ତୁତ ହେଉଛି କିଭଳି? ଏହି ଷଡଯନ୍ତ୍ର ପଛରେ ଅପରାଧୀ ଗ୍ୟାଙ୍ଗ ବ୍ୟତିତ ଆଉ କେହି ଥାର୍ଡ ପର୍ସନର ହାତ ନାହିଁ ତ? କାରଣ ବ୍ରହ୍ମପୁରରେ ରହିଛି ମୋଟ ୧୩ଟି ଥାନା । କିନ୍ତୁ ଆଲୋକ ଜେନା ଜଣେ ହିଁ ସେହି ଅଫିସର ଯିଏକି ପୂରା ବ୍ରହ୍ମପୁରରେ ଅପରେଟ ହେଉଥିବା ବହୁ ଅପରାଧୀ ଗ୍ୟାଙ୍ଗର ନିଦ ହଜାଇଛନ୍ତି । ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ ଏଥିପାଇଁ କାହାର ବ୍ୟକ୍ତିଗତ ଇର୍ସା ଲୁଚି ରହିନି ତ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ସବୁ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଜଣେ ସଚ୍ଚୋଟ ଅଫିସରଙ୍କୁ ଅପରାଧୀଙ୍କ ଏଭଳି ଟାର୍ଗେଟ ବହୁତ ମହଙ୍ଗା ପଡିବ ବୋଲି କେବଳ ଯେ ସାଧାରଣ ଲୋକ କହିଛନ୍ତି ତାହା ନୁହେଁ ବରଂ ବହୁ ରାଜନେତା ମଧ୍ୟ ସ୍ୱର ଉଠାଇଛନ୍ତି ।
ଯଦି ଏହି ଗ୍ୟାଙ୍ଗ ସେମିତି କିଛି କରିବାକୁ ଚେଷ୍ଟା ବି କରେ ତେବେ ତା’ର ପୂରା କଳା ସାମ୍ରାଜ୍ୟକୁ ମାଟିରେ ମିଶାଇ ଦିଆଯିବ ବୋଲି ରୋକଠୋକ ଭାବେ ଚେତାବନୀ ଦିଆଯାଇଛି । ତୁରନ୍ତ ଏହି ଘଟଣାକୁ ଗୁରୁତର ସହ ନେଇ ବିଭାଗୀୟ ବରିଷ୍ଠ ଅଧିକାରୀ ତଦନ୍ତ କରିବାକୁ ସବୁ ସ୍ତରରେ ଦାବି ହୋଇଛି ।
ତେବେ ଏନେଇ ଆମେ ଆଲୋକ ଜେନାଙ୍କ ସହ ଯୋଗାଯୋଗ କରିଥିଲୁ । ସେ ଘଟଣାକୁ ସ୍ୱୀକାର କରିବା ସହ ଏକ ନିର୍ଦ୍ଧିଷ୍ଟ ଗ୍ୟାଙ୍ଗ ଏହି ଯୋଜନା ରଚୁଥିବା ଜଣାଇଛନ୍ତି । ଏତିକି ନୁହେଁ ସେ ଏନେଇ ଏକ ଷ୍ଟେସନ ଡାଏରୀ କରିବା ସହ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିବା କହିଛନ୍ତି । ସେ ଏହାମଧ୍ୟ କହିଛନ୍ତି ବିଭିନ୍ନ ଅପରାଧୀକ କାର୍ଯ୍ୟକଳାପରେ ଜଡିତ ଥିବା ଏହି ଗ୍ୟାଙ୍ଗର ପୂରା ଚେର ଉପାଡିବାକୁ ଚେଷ୍ଟା କରାଯାଉଥିବା ବେଳେ ଏଥିରେ ରୋକ ଲଗାଇବାକୁ ଗ୍ୟାଙ୍ଗ ତା’ର ପ୍ରୟାସ ଚଳାଇଛି । ଆଇନ କାନୁନର କାଠଗଡାରେ ଛନ୍ଦି କୋର୍ଟ କଚେରୀର ଧମକ ଦେଇ ନିରାଶ ହେବା ପରେ ଏହି ପ୍ଲାନିଂ କରାଯାଇଛି । ତେବେ ଓଡିଶା ପୁଲିସ ନିଜ ସୁରକ୍ଷା ନିଜେ କରିପାରେ ଓ ଖାସ କରି ବ୍ରହ୍ମପୁର ପୁଲିସ କେବେ ପଛଘୁଞ୍ଚା ଦେବ ନାହିଁ ବୋଲି ଆଲୋକ ଜେନା ଏଟିଆରକୁ ସୂଚନା ଦେଇଛନ୍ତି ।