ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ବ୍ରହ୍ମପୁର ଅଞ୍ଚଳରେ ଲୁଟେରାଙ୍କ ତାଣ୍ଡବ । ଗୋଟିଏ କି’ ଦୁଇଟି ନୁହେଁ ବରଂ ଏକାସଙ୍ଗେ ୬ଟି ଏଟିଏମକୁ ଟାର୍ଗେଟ କରାଯାଇଛି । ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ୨ଟି ଏଟିଏମ ଭାଙ୍ଗି କଳାକନା ବୁଲାଇଥିବା ବେଳେ ବାକି ୪ଟି ଏଟିଏମକୁ ଭଙ୍ଗାରୁଜା ସହ ଗ୍ୟାସ କଟରରେ କଟାଯାଇଥିବା ଦେଖିବାକୁ ମିଳିଛି । ସବୁଠୁ ବଡ଼ କଥା ହେଉଛି ୬ଟି ଘଟଣାରେ କେବଳ ଏସବିଆଇ ଏଟିମକୁ ହିଁ ଟାର୍ଗେଟ କରାଯାଇଛି । ସୁରକ୍ଷା କର୍ମୀ ନଥିବା ଯୋଗୁ ଲୁଟେରା ଏଟିଏମକୁ ଟାର୍ଗେଟ କରିଥିବା ଲୋକେ ଅଭିଯୋଗ ଉଠାଇଛନ୍ତି ।
ସେପଟେ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଆରମ୍ଭ କରିଥିବା ବେଳେ ଲୁଟେରାମାନେ ଏଟିଏମ କାଉଣ୍ଟରରେ ଲାଗିଥିବା ସିସିଟିଭିକୁ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ, ସକାଳୁ ସକାଳୁ ହଳଦିଆପଦର ଅଞ୍ଚଳରେ ଥିବା ଏସବିଆଇ ଏଟିଏମ ପୋଡାଯାଇଥିବା ପ୍ରଥମେ ଦେଖିବାକୁ ମିଳିଥିଲା । ଲୋକେ ପୁଲିସକୁ ସୂଚନା ଦେଇଥିଲେ । ତେବେ ଏହା ପରେ ପରେ ବାକି ୫ଟି ଏଟିଏମକୁ ମଧ୍ୟ ଲୁଟେରା ଟାର୍ଗେଟ କରିଥିବା ଜଣାପଡିଥିଲା । ଏକାସଙ୍ଗେ ଲୁଟେରା ୬ଟି ଏଟିଏମକୁ ଟାର୍ଗେଟ କରିବା ଘଟଣା ପୂରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । କେବଳ ଏତିକି ନ୍ୁହେଁ ପୁଲିସର ପାଟ୍ରୋଲିଂ ବ୍ୟବସ୍ଥାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହାର ଖୋଳତାଡ ଆରମ୍ଭ କରିଛି ପୁଲିସ ।