ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଟିକେ ମୌକା ମିଳିଲେ ଖସି ପଳାଉଥିଲେ । ଘଣ୍ଟା ଘଣ୍ଟା ବାହାରେ ଖଟି କରୁଥିଲେ । ଆଉ ଯଦି କେହି ଉପରିସ୍ଥ ଅଧିକାରୀ ଏ ବାବଦରେ ପଚାରୁଥିଲେ ଅତି ଚାଲାକର ସହ ଚା’ ପିଇବାକୁ ଯାଇଥିଲୁ କହି ଦୋଷ ଏଡାଉଥିଲେ ।
ପୁଲିସ ବାବୁଙ୍କ ଏଭଳି ମିଛ ଧରିବା ପରେ ଖାସ୍ ଏଥିରେ ରୋକ ଲଗାଇବାକୁ ପୂବତନ ଡିଜି କେତେକ ଥାନାରେ ଲଗାଇଥିଲେ ଚା’ ମେସିନ । ମିଶନ ଆରମ୍ଭ ହୋଇଥିଲା ସହିଦନଗରରୁ ଆଉ ସରିଥିଲା ଖଣ୍ଡଗିରି ଥାନାରେ । ଖୁବ କମ ଦାମରେ ଚା’ ମିଳିବାର ସୁଯୋଗ ବି ପୁଲିସ ବାବୁ ପାଇଗଲେ । କେବଳ ପୁଲିସ ନୁହେଁ ଅଭିଯୋଗ କରିବାକୁ ଆସୁଥିବା ଲୋକେ ବି ଏହି ସେବା ପାଇପାରିବେ ବୋଲି ଗଣମାଧ୍ୟମ ଆଗରେ ଡେଙ୍ଗୁରା ପିଟି କହିଥିଲେ ପୂର୍ବତନ ପୁଲିସ ଡିଜି । ଏଥିପାଇଁ ବେଶ୍ ଜାକଜକମର କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ଥାନାରେ ରୁଣ୍ଡ ହୋଇଥିଲେ ତଳତଳିଆ କର୍ମଚାରୀଙ୍କଠୁ ନେଇ ବହୁ ବରିଷ୍ଠ ଅଧିକାରୀ ।
ପୂରା ବାହାଘର ପରି ଫୁଲରେ ସଜା ହୋଇଥିଲା ଥାନା । ଆଉ ଏହାପରେ ଖୋଦ ଡିଜିପି ଏହାକୁ ଉଦଘାଟନ କରି ତାଳି ମାରିଥିଲେ । କିନ୍ତୁ ଏହାପରେ କେତେଦିନ ସେହି ମେସିନ୍ ଚାଲିଲା, ଅଭିଯୋଗକାରୀଙ୍କୁ ଚା’ ମିଳୁଛି କି’ ନାହିଁ ଆଉ ବୁଝିବାକୁ କାହାର ଟାଇମ୍ ନଥିଲା । ଫଳରେ ଏବେ ଖତ ଖାଉଛି ଚା’ ମେସିନ୍ । ଆଉ ଚା’ ମିଳୁନି । ଏବେ ଖତଖାଇବା ପରେ ଯେ ପୁଲିସ ବାବୁମାନେ ବାହାରକୁ ଯାଇ ଚା’ ପିଉଛନ୍ତି ତାହା ନୁହେଁ ବରଂ ମେସିନ୍ ଭଲ ଥିବା ବେଳେ ବି ଅଧିକାଂଶ ପୁଲିସ ମେସିନ୍ ରୁ ଚା’ ପିଉନଥିଲେ । ଉତ୍ତର ଥିଲା ଏ ମେସିନ୍ ଚା’କୁ ମଣିଷ ପିଅନ୍ତି ।
ଏଠି ପ୍ରଶ୍ନ ଉଠୁଛି ଯଦି ମେସିନ୍ ଚା’କୁ ପୁଲିସ କର୍ମଚାରୀ ଅମଙ୍ଗ ଥିଲେ ତେବେ କାହିଁକି ଏତେ ଟଙ୍କା ଖର୍ଚ୍ଚ କରାଯାଇ ମେସିନ୍ ଲଗାଗଲା । କେବଳ ଚା’ ମେସିନ୍ ନୁହେଁ ଏବେ ଥାନାରେ ଲାଗିଥିବା ପାଣି ମେସିନ୍ ବି ଅଚଳ ହୋଇପଡିଛି । ଏଥିରୁ ଗୋଟେ କଥା ସ୍ପଷ୍ଟ ହେଉଛି ସରକାର କା ମାଲ ଦରିଆ ମେ ଡାଲ ନୀତିକୁ ବେଶ୍ ଆପଣାଇଛି କମିଶନରେଟ ପୁଲିସ । ତୁରନ୍ତ ଏହା ଉପରେ ବିଭାଗୀୟ ଅଧିକାରୀ ନଜର ଦେବାକୁ ଦାବି ହୋଇଛି ।