ଭୁବନେଶ୍ୱର: ପୁରାପୁରି ତିଆରି ହୋଇଥିଲା ମାଷ୍ଟର ପ୍ଲାନ । ପୁଲିସ କବଜାରୁ ଖସିବା ପାଇଁ ଦଲାଲମାନେ ଏବେ ବାଇକ କି କାରରେ ନୁହେଁ ବରଂ ଏକ ପରିବହନ ଟ୍ରକର ସାହାର ମଧ୍ୟ ନେଇଥିଲେ । ଖାଲି ଏତିକି ନୁହେଁ ଟ୍ରକରେ ବହୁ ସତର୍କତା ସହ ଏହି ନିଶାଦ୍ରବ୍ୟକୁ ଲୁଚାଯାଇଥିବା ପୁଲିସ ସୂଚନା ଦେଇଛି । ଯାହା ପୁରା ରାଜଧାନୀରେ ହଇଚେଇ ମଚାଇଛି । ଏମିତି ଘଟଣା ଘଟିଛି ଖଣ୍ଡଗିରି ଥାନା ଅଞ୍ଚଳରେ ।
ଖବର ପାଇ ରାଜସ୍ୱ ଗୁଇନ୍ଧା ବିଭାଗ, ସ୍ଥାନୀୟ ପୁଲିସ ଓ ନାର୍କୋଟିକ୍ସ ଟିମ ଏହି ଟ୍ରକକୁ ଠାବ କରି ଏକ ଟନ ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୨କୋଟିରୁ ଅଧିକ ଟଙ୍କା ହେବ ବୋଲି ପୁଲିସ କହିଛି । ଏଥିସହ ଟ୍ରକର ଡ୍ରାଇଭରକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ତେବେ ଏହି ଘଟଣାର ମାଷ୍ଟରମାଇଣ୍ଡ କିଏ? କୁଆଡେ ଯାଉଥିଲା ଏତେ ପରିମାଣର ଗଞ୍ଜେଇ? ସେନେଇ ପୁଲିସ ଖୋଳତାଡ ଚଳାଇଛି ।
ସୂଚନା ମୂତାବକ, ନନ୍ଦନୀ ଟ୍ରାନ୍ସପୋର୍ଟ ନାମକ ଏକ ମାଲ ବୋଝେଇ ଟ୍ରକରେ ଗଞ୍ଜେଇ ନେଇ ଯାଉଥିବା ବେଳେ ଖଣ୍ଡଗିରି ଅଞ୍ଚଳରେ ପୁଲିସ ହାତରେ ଧରାପଡିଥିଲା । ଟ୍ରକଟି ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମରୁ ରାଜଧାନୀ ଆସୁଥିଲା । ଏହି ଗଞ୍ଜେଇ ବୋଝେଇ ଟ୍ରକଟି ବିହାର ପାଟନା ଅଞ୍ଚଳକୁ ଚାଲାଣ କରାଯାଉଥିବା ଜଣାପଡିଛି ।