ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବୃଦ୍ଧକାଳେ ବାଲ୍ୟଲିଳା ମହଙ୍ଗା ପଡିଲା । ଖାଇଲେ ଚପଲ ମାଡ଼ । ତାହା ପୁଣି ବିଚ ବଜାରରେ ଆଉ ବସ ଭିତରେ । ଏମିତି ଏକ ଭିଡ଼ିଓ ଏବେ ଭାଇରାଲ ହୋଇଛି । ଘଟଣାଟି ପୂରା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ମୁତାବକ, ଜଣେ ଯୁବତୀ ସିଟିବସରେ ଯାତ୍ରା କରୁଥିଲେ । ତେବେ ତାଙ୍କ ପଛପଟ ସିଟରେ ବସିଥିବା ଜଣେ ବ୍ୟକ୍ତି ତାଙ୍କୁ ଅସଦ ବ୍ୟବହାର କରିଥିବା ଯୁବତୀ ଅଭିଯୋଗ ଆଣିଥିଲେ ।
ଖାଲି ଅଭିଯୋଗ ତ’ ଆଣିନଥିଲେ ବରଂ ରାଗିପାତି ଲାଲ ହୋଇଯାଇଥିଲେ । ଉଚିତ ସବକ ଶିଖାଇବାକୁ ଯାଇ ଯୁବତୀ ନିଜ ଗୋଡରୁ ଚପଲ ଖୋଲି ପିଟିବାକୁ ଲାଗିଥିଲେ । ସେପଟେ ମୋବାଇଲ ଖସିପଡିଥିଲା ଓ ତାକୁ ଫେରସ୍ତ ଦେବା ବେଳେ ଯୁବତୀ ଏମିତି ଭୁଲ ଭାବୁଥିବା କହିଛନ୍ତି ବ୍ୟକ୍ତି ଜଣଙ୍କ । ଯାହା ଭିଡ଼ିଓରୁ ବୁଝାପଡୁଛି । ତେବେ କେଉଁଟା ସତ ତାହା ଜଣାପଡିନଥିବା ବେଳେ ଘଟଣାଟି ବେଶ ଚର୍ଚ୍ଚାର ବିଷୟ ହୋଇଛି । ନାରୀଙ୍କ ସୁରକ୍ଷା ନେଇ ଏବେ ତୁମ୍ବିତୋଫାନ ଚାଲିଥିବା ବେଳେ ପୁଣି ରାଜଧାନୀରେ ଏମିତି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି ।
କିଛିଦିନ ତଳେ ଜଣେ ଗଣମାଧ୍ୟମ ପ୍ରତିନିଧି ଯୁବତୀଙ୍କୁ ବସ ଭିତରେ ଅସଦାଚରଣ କରାଯାଇଥିଲା । ଏହାପରେ ବସରେ ସିସିଟିଭି ଲାଗିବାକୁ ଯୋଜନା ହୋଇଥିଲା । ତେବେ ସମୟ ଗଡିବା ସହ ଯୋଜନା ବି ଧୂଳିସାତ ହୋଇଗଲା । ଏବେ ପୁଣି ସିଟି ବସ ଅର୍ଥାତ ସରକାରୀ ବସରେ ଯଦି ଏଭଳି ଘଟଣା ଘଟୁଛି ତେବେ ଘରୋଇ ବସରେ ଯାତ୍ରା କରୁଥିବା ଯାତ୍ରୀ କେତେ ସୁରକ୍ଷିତ ତାକୁ ନେଇ ଉଠିଛି ପ୍ରଶ୍ନ । ପୁଲିସ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।