ଭୁବନେଶ୍ୱର,୧୩।୨/(ବ୍ୟୁରୋ): ଲଙ୍କାଗୁଣ୍ଡ ନୁହେଁ ଏଥର ରାଜଧାନୀର ଲୁଟେରା ଆପଣେଇଛନ୍ତି ଲୁଟର ନୂଆ ତରିକା । ଲୋକେ କୁଣ୍ଡେଇ ହେଉଥିବେ,ସବୁ ଦେଖୁଥିବେ ହେଲେ କିଛି କରିପାରୁନଥିବେ । ଲୋକଙ୍କ ଆଖି ଆଗରେ ଲୁଟେରା ତାଙ୍କ ଟଙ୍କା, ସୁନା ଚେନ୍ ଝାମ୍ପି ଚାଲିଯିବ । ଲୁଟେରାଙ୍କ ଏହି ନୂଆ ତରିକା ହେଉଛି ବିଛୁଆତୀ ଗୁଣ୍ଡ । ଏହି ଗୁଣ୍ଡ ଏବେ ଖାରବେଳନଗର ଥାନା ଅଞ୍ଚଳରେ ଘୁରି ବୁଲୁଛି । ଲୁଟେରାମାନେ ଏହି ଭଳି ଭାବରେ ଆଜି ଏକ ଅପରେସନ କରିଛନ୍ତି । ଯାହାର ଶିକାର ହୋଇଛନ୍ତି କଲେକସନ୍ ସଂସ୍ଥାର ଜଣେ ଏଜେଣ୍ଟ ବାମଦେବ ବିଶ୍ୱାଳ । ତାଙ୍କ ଠାରୁ ଲୁଟେରାମାନେ ୫୦ ହଜାର ଟଙ୍କା ଝାମ୍ପି ନେଇଥିବା ପୁଲିସ କହିଛି । ଏନେଇ ବାମଦେବ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ମୁତାବକ, ବାମଦେବ ପ୍ରିମିୟମ୍ ଏଜେନ୍ସିରେ କଲେକସ୍ ଏଜେଣ୍ଟ୍ ଭାବରେ କାମ କରନ୍ତି । ସେ ଆଜି ଅପରାହ୍ନ ସାଢେ ତିନିଟାରୁ ୪ଟା ମଧ୍ୟରେ ଆସୁଥିଲେ । ମାଷ୍ଟରକ୍ୟାଣ୍ଟିନ୍ ଛକ ପାଖରେ ଥିବା ହୋଟେଲ୍ ସ୍ୱସ୍ତି ଗଳିରେ ସେ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ପଛରେ ଆସି ତାଙ୍କ ଉପରେ ବିଛୁଆତୀ ଗୁଣ୍ଡ ପକାଇଥିଲେ । ତାଙ୍କର ଗୁଣ୍ଡାଇ ହେବାରୁ ସେ ଗାଡି ଅଟକାଇ ଥିଲେ । ଏହି ସମୟରେ ଏହି ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଟଙ୍କା ବ୍ୟାଗ୍ ଝାମ୍ପି ନେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏଥିସହ ସେ ଟଙ୍କା ନେଇ ଆସୁଥିବା ନେଇ ଆଉ କିଏ ଜାଣିଥିଲେ ତାକୁ ନେଇ ମଧ୍ୟ ପୁଲିସ ତନାଘନା କରୁଥିବା କହିଛି ।