ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ସ୍ତ୍ରୀର ମୃତଦେହକୁ ସନ୍ଦେହଜନକ ଭାବେ ଟ୍ରେନରେ ଆଣୁଥିବା ବେଳେ ବ୍ରହ୍ମପୁର ଜିଆରପି ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି । ତାଙ୍କ ନାଁ କୃଷ୍ଣଚନ୍ଦ୍ର ନାୟକ । ଷ୍ଟେସନରୁ ମୃତଦେହ ନେଇ କୃଷ୍ଣଚନ୍ଦ୍ର ବାହାରକୁ ଯାଉଥିବା ବେଳେ ଘଟଣା ସମ୍ପର୍କରେ ସନ୍ଦେହ ହେବାରୁ ଲୋକେ ପୁଲିସକୁ ସୂଚନା ଦେଇଥିଲେ । ତେବେ ପୂରା ଘଟଣା ସମ୍ପର୍କରେ ଜାଣିବା ନେଇ ପୁଲିସ କୃଷ୍ଣଚନ୍ଦ୍ରଙ୍କୁ ପଚରାଉଚରା କରୁଛି ।
ସେପଟେ କୃଷ୍ଣଚନ୍ଦ୍ରଙ୍କ କହିବାନୁସାରେ, ନିଜ ପତ୍ନୀ ସୁଜାତାଙ୍କ ସହ ସେ ସୁରତରେ ରହୁଥିଲେ । ତେବେ କିଛିଦିନ ହେବ ସୁଜାତାଙ୍କ ଦେହ ଖରାପ ରହିବାରୁ ସେ ଅଧିକ ଚିକିତ୍ସା ଲାଗି ତାଙ୍କୁ ଗାଁକୁ ଆଣୁଥିଲେ । ତେବେ ଗତକାଲି ସନ୍ଧ୍ୟାରେ ଖାଇବାକୁ ଡାକିବା ବେଳକୁ ସୁଜାତା ଆଉ ଆଖି ଖୋଲିନଥିଲେ । ବାଟରେ ତାଙ୍କର ମୃତ୍ୟୁ ହୋଇଥିବା କୃଷ୍ଣଚନ୍ଦ୍ର ପୁଲିସକୁ ସୂଚନା ଦେଇଛନ୍ତି । ତେବେ ମୃତଦେହକୁ ସନ୍ଦେହଜନକ ଭାବେ ଷ୍ଟେସନରୁ ନେଇ ବାହାରକୁ ଯାଉଥିବା ବେଳେ ଲୋକେ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲେ । ତେବେ କୃଷ୍ଣଚନ୍ଦ୍ରଙ୍କ କଥା କେତେ ସତ ସେନେଇ ଅଧିକ ତଦନ୍ତ ଚଳାଇଛି ପୁଲିସ ।