ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତ ବର୍ଷ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ମହୋତ୍ସବରେ ଖୁବ୍ ଦୁର୍ଲଭ ସଂଯୋଗ ପଡୁଛି । ଏହି ଉତ୍ସବ ଦୁଇ ଦିନ ପଡୁଛି । ଅନେକ ଲୋକଙ୍କ ପାଇଁ ଶ୍ରୀକୃଷ୍ଣଙ୍କ ଜନ୍ମଉତ୍ସବ ଖୁବ୍ ଖାସ୍ ହୋଇଥାଏ । ସେପ୍ଟମ୍ବର ୨ ତାରିଖ ରବିବାର ରାତି ୮ଟା ୪୮ ମିନିଟ୍ରେ ଅଷ୍ଟମୀ ତିଥି ଲାଗୁଛି । ଧାର୍ମିକ ଗ୍ରନ୍ଥ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିର ଅର୍ଦ୍ଧ ରାତ୍ରରେ ରୋହିଣୀ ନକ୍ଷତ୍ର ଥିବ ତାହାସହିତ ସୂର୍ଯ୍ୟ ସିଂହ ରାଶିରେ ଏବଂ ଚନ୍ଦ୍ରମା ବୃଷ ରାଶିରେ ଥିବେ ସେତେବେଳେ କୃଷ୍ଣ ଜୟନ୍ତି ଯୋଗ ହୋଇଥାଏ । ଏହି ନକ୍ଷତ୍ରରେ ଜନ୍ମ ହୋଇଥିବା ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି ।
କୃଷ୍ଣ ଜନ୍ମାଷ୍ଟମୀର ତିଥି ଏବଂ ଶୁଭ ମୁହୂର୍ତ୍ତ
– ଚଳିତ ବର୍ଷ ସେପ୍ଟମ୍ବର ୨ ତାରିଖ ରାତି ୮ଟା ୪୮ ମିନିଟ୍ ରୁ ତିଥି ଆରମ୍ଭ ହୋଇ ୩ ତାରିଖ ୭ଟା ୧୯ ମିନିଟ୍ ରେ ସମାପ୍ତ ହେବ । ଠିକ୍ ସେହିଭଳି ରୋହିଣୀ ନକ୍ଷତ୍ରର ପ୍ରାରମ୍ଭ ୨ ତାରିଖ ରାତି ୮ଟା ୪୮ ମିନିଟ୍ ରେ ଆରମ୍ଭ ହୋଇ ୩ ତାରିଖ ରାତି ୮ଟା ୦୮ ମିନିଟ୍ରେ ଶେଷ ହେବ ।
ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଭଗବାନ ବିଷ୍ଣୁ କୃଷ୍ଣଙ୍କ ରୂପରେ ବସୁଧା ଉପରେ ଆଠଟି ଅବତାର ଧାରଣ କରିଥିଲେ । ସୂୟଂ ଭଗବାନ ଏହିଦିନ ପୃଥିବୀରେ ଅବତାରିତ ହୋଇଥିଲେ । ସେଥିପାଇଁ ଏହି ଦିନକୁ କୃଷ୍ଣ ଜନ୍ମାଷ୍ଟମୀ ଭାବେ ଖୁବ୍ ଧୁମ୍ ଧାମ୍ ରେ ପାଳନ କରାଯାଏ । ଏହି ଜନ୍ମାଷ୍ଟମୀ ଦୁଇଟି ଅଲଗା ଅଲଗା ଦିନରେ ପାଳନ କରାଯାଏ । ପ୍ରଥମେ ମନ୍ଦିର ଏବଂ ବ୍ରାହ୍ମଣମାନଙ୍କ ଘରେ ପାଳନ କରାଯାଏ । ଦ୍ୱିତୀୟ ଦିନ ବୈଷ୍ଣବ ସଂପ୍ରଦାୟର ଲୋକ ଏହି ଜନ୍ମାଷ୍ଟମୀ ପାଳନ କରିଥାନ୍ତି ।