କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ହଜିଗଲା ମାନବିକତା । ମରିଗଲା ମଣିଷପଣିଆ । ସଂକ୍ରମଣ ଭୟରେ ରୋଗୀଣା ଲୋକକୁ ପର କରିଦେଲା ପରିବାର । ବିଜୟ ସାହୁ । ଘର କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ରାଜନଗର ଗାଁରେ । ଗଳା କର୍କଟ ରୋଗରେ ପିଡୀତ ଏହି ଲୋକଟା ରୋଗ ପାଇଁ ଶରୀରରେ ଯେତିିକି ଯନ୍ତ୍ରଣା ପାଉନି ତା ଠୁ ବଳି ଯାଉଛି ମାନସିକ ଯନ୍ତ୍ରଣା । । କ୍ୟାନସର ହୋଇଛି ବୋଲି ବିଜୟଙ୍କୁ ପର କରିଦେଇଛନ୍ତି ନିଜ ଘର ଲୋକେ । ହାତ ଧରି ଯେଉଁ ପୁଅକୁ ବିଜୟ ଚାଲିବା ଶିଖାଇଥିଲେ କାଳେ ରୋଗ ଡେଇଁବ ଭାବି ସେହି ପୁଅ ପିଲା ଛୁଆଙ୍କୁ ଧରି ଘରୁ ପଳାଇଲା । ଆଉ ଅଗ୍ନୀକୁ ସାକ୍ଷୀ ରକ୍ଷି ସାରା ଜୀବନ ଯିଏ ହାତ ଧରି ଚାଲିବ ବୋଲି କଥା ଦେଇଥିଲା, ସଂକ୍ରମଣ ଭୟରେ ସେହି ସ୍ତ୍ରୀ ବି ସ୍ୱାମୀର ଏମିତି ଅବସ୍ଥାରେ ତାକୁ ଛାଡି ପୁଅ ପାଖକୁ ଚାଲିଗଲା । ଏମିତିରେ ବିଜୟଙ୍କ ପାଇଁ ଶରୀରର କଷ୍ଟ ଠୁ ବଳିଯାଇଛି ପାରିବାରିକ ବାସନ୍ଦର ଯନ୍ତ୍ରଣା ।
ବିଧୀର ବିଧାନ ବି ବଡ ବିଚିତ୍ର । ରୋଗୀଣା ଲୋକଟାକୁ ସିନା ପରିବାର ବାସନ୍ଦ କଲା ହେଲେ ଆପଣାଇ ନେଇଛନ୍ତି ଗାଁ ଲୋକେ । ରୋଗ ସିନା ଭଲ ହେବ କି ନା ଜଣାନାହିଁ ହେଲେ ନିସ୍ୱାର୍ଥପର ଭାବେ ବିଜୟଙ୍କ ସେବା କରିବାରେ ହେଳା କରୁନାହାଁନ୍ତି ବିଜୟଙ୍କ ଘର ପାଖର ସଂପର୍କୀୟ ନାତି ନବକିଶୋର ସାହୁ । ଘା’ରେ ମଲମ ଲଗାଇବା ଠାରୁ ନେଇ ଔଷଧ କିଣିବା ଯାଏ, ବିଜୟଙ୍କ ଟିକିନିଖି ଯତ୍ନ ନେଉଛନ୍ତି ନବ । ତେବେ ବିଜୟଙ୍କ ପରିବାର ତାଙ୍କ ପାଖକୁ ଫେରି ଆସିବାକୁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ଗ୍ରାମବାସୀ ।
ଏ କେମିତି କା ସମ୍ପର୍କ ଯେ । ଯେଉଁଠି ସାମାନ୍ୟ ରୋଗଟା ପାଇଁ ମୋହ ତୁଟି ଯାଉଛି । ଦାଣ୍ଡ ଲୋକେ ଆଦରିଲା ବେଳେ ବାସନ୍ଦ କରୁଛନ୍ତି ଘର ଲୋକେ । ନା ପତ୍ନୀ ବୁଝୁଛନ୍ତି, ଏ ସେହି ସ୍ୱାମୀ ଯିଏ ତାଙ୍କ ମଥାରେ ସିନ୍ଦୂର ଦେଇ ଦଶ ଦୋଷ କ୍ଷମା କରିବାକୁ କଥା ଦେଇଛି । ଯାହା ପାଇଁ ସେ ଶଙ୍ଖା ସିନ୍ଦୂର ପିନ୍ଧୁଛନ୍ତି, ସେହି ସ୍ୱାମୀକୁ ମରଣ ମୁହଁକୁ ଠେଲି ଦେଲେ କେମିତି ? ଆଉ ପୁଅ ବି ଥରେ ଚିନ୍ତା କଲାନି, ପିଲାଦିନେ ଯିଏ ତାକୁ ଚାଲିବା ଶିଖାଇଛି, ତା ପାଇଁ ମେଳାରୁ ମିଠେଇ ଆଣି ଦେଇଛି । ଅଝଟ ହୋଇ କାନ୍ଦିଲେ ଯିଏ କାନ୍ଧରେ ବସେଇ ଦାଣ୍ଡରେ ବୁଲାଇଛି ।
ସେହି ବାପାର ଏମିତି ଅବସ୍ଥାରେ ସେ କେମିତି ଛାଡିକି ଯାଇ ପାରିବ । ବୋହୁ ତ ପରଝିଅ । ତଥାପି ତ ବୁଝିବା କଥା । ବାପ ଘର ଛାଡି ଶାଶୁଘରକୁ ଆସିଲେ ଏଇ ଲୋକ ତ ତା ପାଇଁ ବାପାର କର୍ତ୍ତବ୍ୟ କରିଛି । ଏମିତି କେମିତି ହୁଏ ? ଆମେ ବି ବିଜୟଙ୍କ ପରିବାରକୁ ନିବେଦନ କରିବୁ, ଫେରି ଆସନ୍ତୁ ନିଜ ଲୋକଟା ପାଖକୁ । ନଚେତ କିଏ କହିବ, ରୋଗ ମାରିବା ଆଗରୁ ପରିବାରର ଚିନ୍ତା ମାରି ଦେଇଥିବ ବିଜୟଙ୍କୁ । କାରଣ ମୃତ୍ୟୁ ଆଗରେ ବିଜୟର ପରାଜୟ ହୁଏ ।