ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାରର ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ଇତି ମଧ୍ୟରେ ରାଜ୍ୟରେ ଥିବା ୮୭ଟି ଜେଲରେ ଥିବାର ୧୭୨୭ ଜଣ ବିଚାରାଧୀନ ବନ୍ଦୀଙ୍କୁ ଛଡା ଯିବାର ନିଷ୍ପତି ନିଆଯାଇଛି । ବହୁ ଦୋଷୀ ସାବ୍ୟସ୍ତ ବନ୍ଦୀଙ୍କୁ ପାରୋଲରେ ମୁକ୍ତ କରାଯିବ। ଏକ ସ୍ୱତନ୍ତ୍ର ବୈଠକରେ ହାଇକୋର୍ଟ କାର୍ୟ୍ୟକାରୀ ମୁଖ୍ୟ ବିଚାରପତି, କୁମାରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା ଓ ଜେଲ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଉପସ୍ଥିତ ଥିଲେ। ଏହି ବୈଠକରେ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ୭ ବର୍ଷ ବା ତା’ଠାରୁ କମ୍ କାରାଦଣ୍ଡ ପାଇ ଜେଲରେ ଥିବା ବନ୍ଦୀଙ୍କୁ ପାରୋଲରେ ମୁକ୍ତ କରାଯିବ। ୬୫ ବର୍ଷ ବୟସରୁ ଅଧିକ ବୟସ୍କ ସମସ୍ତ ଦୋଷୀ ସାବ୍ୟସ୍ତ ବନ୍ଦୀଙ୍କୁ ସ୍ବତନ୍ତ୍ର ପାରୋଲ ପ୍ରଦାନ କରାଯାଇ ପାରିବ।
ଏକାଧିକ ମାମଲାରେ ସଂପୃକ୍ତ, ଏନଡିପିଏସ୍ ଆଇନରେ, ପୋକ୍ସୋ ଆଇନରେ, ଦୁଷ୍କର୍ମ, ଯୌନ ନିର୍ୟାତନା, ଏସିଡ ଆକ୍ରମଣ ଭଳି ମାମଲାରେ ଦୋଷୀ ସାବ୍ୟସ୍ତ କିମ୍ବା ବିଦେଶୀ ନାଗରିକଙ୍କ ଭଳି ବୟସ୍କ ବନ୍ଦୀଙ୍କ କ୍ଷେତ୍ରରେ ଏହି ସୁବିଧା ଲାଗୁ ହେବ ନାହିଁ। ଏପରି ପରିସ୍ଥିତି ସତ୍ବେ ଯଦି ଜଣେ ବନ୍ଦୀଙ୍କ ବୟସ ୭୦ ବର୍ଷ ବା ଅଧିକ ଓ କରୋନା ସଂକ୍ରମଣ ଆଶଙ୍କା ରହିଥାଏ ତେବେ ତାଙ୍କୁ ପାରୋଲରେ ଛାଡିବା ପାଇଁ କର୍ତ୍ତୃପକ୍ଷ ବିଚାର କରି ନିଷ୍ପତ୍ତି ଗ୍ରହଣ କରିବେ। ଜେଲରେ କରୋନା ଭାଇରସ ବ୍ୟାପିବାର ସମ୍ଭାବନା ଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।