କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ବୁଧବାର ଡଙ୍ଗାବୁଡି ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ମଧ୍ୟରେ ୭ ଜଣ ମହିଳା ଏବଂ ୨ଜଣ ଶିଶୁ ରହିଛନ୍ତି । ଏଯାବତ ଗୋଟିଏ ୬ ବର୍ଷର ଶିଶୁ ନିଖୋଜ ରହିଛି । ତେବେ ଏହି ଘଟଣା ଶୁଣିବା ପରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ସେପଟେ ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି ଡଙ୍ଗାବୁଡି ଘଟଣା ପ୍ରଚାର ହେବା ପରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି ।
ମିଳିଥିବା ସୂଚନା ଅନୁସାରେ, କୁଜଙ୍ଗ ନିକଟରୁ ହସିଣା ଗ୍ରାମର ୧୭ଟି ପରିବାରର ପୁରୁଷ,ସ୍ତ୍ରୀ ଲୋକ ଏବଂ ଶିଶୁ ମିଶାଇ ୫୫ଜଣ ଲୋକ ବଣଭୋଜି କରିବାକୁ ମହାକାଳପଡ଼ା ବ୍ଲକର ହୁକିଟୋଲାକୁ ଯାଇଥିଲେ। ବୁଧବାର ୨ଟି ଡଙ୍ଗାରେ ଯାଇଥିବା ବେଳେ ସନ୍ଧ୍ୟାରେ ସେମାନେ ଗୋଟିଏ ଡଙ୍ଗାରେ ଫେରୁଥିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଗଭୀର ଜଳ, ଅନ୍ଧାର ରାତି ଯୋଗୁଁ ୧୦ ଜଣ ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଖୋଜାଖୋଜି କରି ୮ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ଯେଉଁଠାରେ ଡଙ୍ଗାବୁଡ଼ିଥିଲା, ସେଠାରେ କୁମ୍ଭୀର ଚଳପ୍ରଚଳ ହେଉଥିବାରୁ ଉଦ୍ଧାର କାର୍ୟ୍ୟ ମଧ୍ୟ ବାଧାପାପ୍ତ ହୋଇଥିଲା। ତେବେ ଆଜି ସକାଳୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେ ବି ଆଉ ଜଣେ ଶିଶୁ ଏହି ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ଅଛନ୍ତି।