ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ମାନେ ପାସ୍ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ନିଆଯାଇଛି । ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟରେ ପାଠପଢୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍ କରିଦିଆଯିବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । କରୋନା ଭାଇରସ ବ୍ୟାପିବାର ସମ୍ଭାବନା ଥିବାରୁ ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସିବି ପରୀକ୍ଷା ହୋଇ ପାରି ନଥିଲା । ତେଣୁ ସମସ୍ତ ଛାତ୍ରଛାତ୍ରୀ ମାନେ ଉପର ଶ୍ରେଣୀକୁ ଉତୀର୍ଣ୍ଣ ହେବେ । ଆସନ୍ତା ବର୍ଷଠାରୁ ପାସ ଫେଲ ବ୍ୟବସ୍ଥା ଲାଗୁକରାଯିବ ବୋଲି ଅନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ମନ୍ତ୍ରୀ ସମୀର ରଂଜନ ଦାସ ।
ସୂଚନା ଯୋଗ୍ୟ କରୋନା ଭାଇରସ ଡରରେ ସାରା ଦେଶରେ ଏବେ ହାହାକାର ପଡିଛି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସରେ ସାରା ବିଶ୍ୱରେ ୨୬ ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରିସାରିଲେଣି । ତେବେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭାରତରେ ୧୦୦୦ରୁ ଅଧିକଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୨୫ରେ ପହଞ୍ଚିଲାଣି । ସେହିପରି ଓଡିଶାରେ ୩ଟି କରୋନା ରେଗୀ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସାରା ଭାରତକୁ ଲକ୍ ଡାଉନ୍ ଘୋଷଣା କରିଦିଆଯାଇଛି ।