ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଦୀପାବଳି । ହିନ୍ଦୁ ଶାସ୍ତ୍ର ଅନୁସାରେ ଆଲୋକର ପର୍ବ ଦୀପାବଳି ପାଳନର ଅନେକ ଗୁଡିଏ ପରମ୍ପରା ରହିଛି । ତେବେ ଏହି ପବିତ୍ର ଦିନର ଆଉ ଏକ ମାହାତ୍ମ୍ୟ ମଧ୍ୟ ରହିଛି । କାରଣ ଏହି ଦିନରେ ପିତୃ ପୁରୁଷଙ୍କ ଉଦେଶ୍ୟରେ ପିଣ୍ଡ ଦେଇ ସାରି କାଉଁରିଆ କାଠି ଜାଳିବାର ପରମ୍ପରା ରହିଛି । ଏହି ସମୟରେ ଏକ ନିଦ୍ଧିଷ୍ଟ ଉଚ୍ଚାରଣ ମଧ୍ୟ କରାଯାଇଥାଏ ।
ବଡ ବଡୁଆ ହୋ
ଅନ୍ଧାରରେ ଆସ ଆଲୁଅରେ ଯାଅ,
ପୁରୁତ୍ତୋମରେ ମହାପ୍ରସାଦ ଖାଇ
ବାଇଶି ପାହାଚରେ
ଗଡ ଗଡଉ ଥାଅ
ପୁରାଣ ଅନୁସାରେ ହିନ୍ଦୁ ଧର୍ମରେ ମହାଳୟା ଦିନ ଠାରୁ ପିତୃ ପୁରୁଷ ମାନେ ମର୍ତ୍ତ୍ୟ ପୁରକୁ ଆସିଥାନ୍ତି । ସେଥିପାଇଁ ଉକ୍ତ ମାସକୁ ମହଳା ମାସ ମଧ୍ୟ କୁହାଯାଇଥାଏ । ଏହି ସମୟରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବାର ପରମ୍ପରା ରହିଛି । ତେଣୁ ମହାଳୟାକୁ ମର୍ତ୍ତ୍ୟକୁ ଆସିଥିବା ପିତୃ ପୁରୁଷ ମାନଙ୍କୁ ଏହିଦିନ ବିଦାୟ ଦିଆଯାଇଥାଏ । ପିତୃ ପୁରୁଷଙ୍କୁ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ଘରର ଦେଇପିଣ୍ଡିରେ କାଉଁରିଆ କାଠି ଜାଳି ବାଡି ପାଖ ଖତ ଗଦାରେ ପୋତା ଯାଇଥାଏ । ପିତୃ ପୁରୁଷଙ୍କୁ ସ୍ୱର୍ଗ ଲୋକକୁ ଫେରିବା ପାଇଁ କାଉଁରିଆ କାଠି ଜାଳି ଆଲୋକ ଦେଖା ଯାଇଥାଏ ।