ବରଗଡ (ଏଟିଆର ବ୍ୟୁରୋ): ଗତମାସ ୨୧ ତାରିଖ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲାଡ (ଖେଦାପାଲି)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ତେବେ ଗତ ୩୧ ତାରିଖରୁ ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ସମସ୍ତ ଯନ୍ତ୍ରପାତି, ଶଯ୍ୟା ସେଠାକୁ ସ୍ଥାନାନ୍ତର କରାଯିବା ଫଳରେ ମୁଖ୍ୟ ଡାକ୍ତର ଖାନାରେ ସମସ୍ତ ପ୍ରକାର କାର୍ଯ୍ୟ ବନ୍ଦ ହୋଇପଡିଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ତେବେ ବରଗଡ ସହରରେ ଥିବା ପୁରୁଣା ମୁଖ୍ୟ ଚିକିତ୍ସାଳୟକୁ ‘ସିଟି ହସ୍ପିଟାଲ’ ଭାବେ ସ୍ଥାପନ କରିବା ଦାବି ଜୋର ଧରିଛି ।
ଏଥିପାଇଁ ଆଜି ବରଗଡରେ ବନ୍ଦ ପାଳନ କରାଯାଉଥିବା ବେଳେ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳୁଛି । ପୁରୁଣା ଡାକ୍ତର ଖାନାକୁ ରାଜ୍ୟ ସରକାର PHC ଘୋଷଣା କରିସାରିଛନ୍ତି ତଥାପି ସିଟି ହସ୍ପିଟାଲ ଦାବିକୁ ନେଇ ଆନ୍ଦୋଳନ ଜୋର ଧରିଛି । ଯାହାକୁ ନେଇ ଆଜି ଜରୁରୀ କାଳୀନ ସେବାକୁ ବାଦ ଦେଇ ରାସ୍ତା ରୋକ ସହ ବରଗଡ଼ ପୌରାଞ୍ଚଳ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଅନ୍ୟପଟେ ଏହି ଆନ୍ଦୋଳନକୁ ଉଭୟ ବିଜେପି ଓ କଂଗ୍ରେସ ଗୋଟିଏ ମଞ୍ଚରେ ଉପସ୍ଥିତ ରହି ବିରୋଧ କରିଛନ୍ତି ।
ଏକତା ମଞ୍ଚର ଆଜିର ସଂନ୍ଧ୍ୟାରେ ଏକ ସାଧାରଣ ସଭାର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି ।ଏହି ବୈଠକରେ ଆଗାମୀ ଆନ୍ଦୋଳନର ରୂପରେଖ ନିର୍ଣ୍ଣୟ କରିବାକୁ ସ୍ଥିର କରାଯାଇଛି । ସାଧାରଣ ଜନତା ଏକତ୍ର ହୋଇ ସିଟି ହସ୍ପିଟାଲ ଦାବିରେ ବରଗଡ ବନ୍ଦ ପାଳନ କରିଛନ୍ତି । ପୁରୁଣା ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସିଟି ହସ୍ପିଟାଲ ଘୋଷଣା ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ସହ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସହରବାସୀ ଚେତାବନୀ ଦେଇଛନ୍ତି ।