ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଦିନେ କି’ ଦୁଇଦିନ ନୁହେଁ । ରାସ୍ତାରୁ ହଟାଇବା ଲାଗି ଗତ ୪ମାସ ତଳୁ ଯୋଜନା ହୋଇଥିଲା । ଖାଲି ଅପେକ୍ଷା ଥିଲା ମୌକାକୁ । ପୁଲିସ କବଜାକୁ ଆସିବା ପରେ ଏଭଳି ବିଷ୍ଫୋରକ ବୟାନ ଦେଇଛି ଅଭିଯୁକ୍ତ ନିରଞ୍ଜନ ବେହେରା । ଆମେ କହୁଛୁ ଶ୍ରୀ ଶ୍ରୀ ୟୁନିଭରସିଟିର ସୁପରଭାଇଜର ସୁନିଲ ସାହୁଙ୍କ ହତ୍ୟା ଘଟଣା । ନିରଞ୍ଜନ ହିଁ ଗୁଳି କରି ହତ୍ୟା କରିଥିଲେ ସୁନିଲଙ୍କୁ । ଏହି ସୂଚନା ଦେଇଛନ୍ତି ଖୋଦ ପୁଲିସ କମିଶନର ସତ୍ୟଜିତ ମହାନ୍ତି ।
ଜଣେ ମହିଳା ବନ୍ଧୁଙ୍କ କଥା ରଖିବାକୁ ଯାଇ ନିରଞ୍ଜନ ହତ୍ୟାକାରୀ ସାଜିଥିବା କମିଶନର ଗଣମାଧ୍ୟମକୁ ଜଣାଇଛନ୍ତି । ପୁଲିସ ହତ୍ୟାରେ ବ୍ୟବହୃତ ଗାଡି ସମେତ ଏକ ଦେଶୀ ବନ୍ଧୁକ ଜବତ କରିଛି । ରିପୋର୍ଟ ଅନୁସାରେ, ଶ୍ରୀ ଶ୍ରୀ ୟୁନିଭରସିଟିରେ ସୁପରଭାଇଜର ଥିବା ସୁନିଲ ପୂର୍ବରୁ ଢ଼େଙ୍କାନାଳରେ ଚାକିରୀ କରୁଥିଲେ । ଢ଼େଙ୍କାନାଳ କଲେଜର ସେ ଥିଲେ ପ୍ରଶାସନିକ ଅଧିକାରୀ । ତେବେ ସେହି ସମୟରେ କଲେଜରେ ଥିବା ଜଣେ ମହିଳା ଅଧ୍ୟାପକଙ୍କୁ ସେ ଏକ ତରଫା ପ୍ରେମ କରୁଥିଲେ । ମହିଳାଙ୍କ ଅନିଚ୍ଛାସତ୍ତେ୍ୱ ମଧ୍ୟ ସୁନିଲ ତାଙ୍କ ସହ ସମ୍ପର୍କ ରଖୁଥିଲେ ।
କଥାରେ ରାଜି କରାଇବାକୁ ଯାଇ ସୁନିଲ ମଝିରେ ମଝିରେ ମହିଳାଙ୍କ ଦରମା ବନ୍ଦ କରି ଦେବା ସହ ଉଭୟ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ । ତେବେ ଚାକିରି ଛାଡି ସୁନିଲ ଶ୍ରୀ ଶ୍ରୀ ୟୁନିଭରସିଟିରେ ସୁପରଭାଇଜର ଭାବେ ରହିଥିଲେ ମଧ୍ୟ ତାଙ୍କ ପ୍ରତି ହୋଇଥିବା ନିର୍ଯାତନାକୁ ଆଦୌ ଭୁଲିନଥିଲେ ମହିଳା ଅଧ୍ୟାପକ । ସବୁକିଛି ଟିକିନିଖି କରି ବଖାଣିଥିଲେ ନିରଞ୍ଜନଙ୍କ ପାଖରେ । ନିରଞ୍ଜନ ମହିଳା ଅଧ୍ୟାପକଙ୍କ ସ୍କୁଲ ବେଳର ସାଙ୍ଗ । ତେଣୁ ମହିଳାଙ୍କ ଆଖିରେ ଲୁହ ଦେଖି ତାତି ଯାଇଥିଲେ ନିରଞ୍ଜନ । ଆଉ ସେବେଠୁ ହିଁ ସୁନିଲଙ୍କୁ ହତ୍ୟା କରିବାକୁ ସେ ଯୋଜନା କରିଥିଲେ ।
ସବୁଠୁ ବଡ଼ କଥା ହେଉଛି ହତ୍ୟା ପୂର୍ବରୁ ନିରଞ୍ଜନ ସୁନିଲଙ୍କୁ ମଧ୍ୟ ଭେଟି ପୂରା ଘଟଣା ସମ୍ପର୍କରେ ଜାଣିବାକୁ ଚାହିଁଥିଲେ । ହେଲେ କୌଣସି ସିଧା ଉତ୍ତର ସୁନିଲ ନଦେଇ ବରଂ ନାଲି ଆଖି ଦେଖାଇଥିଲେ । ତେଣୁ ନିରଞ୍ଜନଙ୍କ ରାଗ ମୁଣ୍ଡକୁ ଚଢ଼ିଯାଇଥିଲା । ଆଉ ଏହାପରେ ଯୋଜନାମୁତାବକ ସେ ସୁନିଲକୁ ହତ୍ୟା କରିଥିଲେ । ହତ୍ୟାରେ ବ୍ୟବହୃତ ବନ୍ଧୁକ ନିରଞ୍ଜନ ବିହାରର ମୁଙ୍ଗେରରୁ କିଣିଥିବା ପୁଲିସ ସୂଚନା ଦେଇଛି । ସୂଚନାଯୋଗ୍ୟ, ଗତ ନଭେମ୍ବର ୨୫ରେ ସୁନିଲଙ୍କୁ ବାରଙ୍ଗ ଥାନା ଅନ୍ତର୍ଗତ ନେତଲ ଛକରେ ଗୁଳି କରି ହତ୍ୟା କରାଯାଇଥିଲା ।