ଭୁବନେଶ୍ୱର, (ଏଟିଆରବ୍ୟୁରୋ): ଖାଇବା ମାଗିବାରୁ ରାଗିପାଚି ଲାଲ ହୋଇଗଲେ ବିଡିଓ । ଆଖିବୁଜା ପିଟି ଚାଲିଲେ । ବିଧା ଗୋଇଠା ମାରି ନିଜର ପତିଆରା ଦେଖାଉଥିବା ଏ ହେଉଛନ୍ତି ଯୋଡା ବିଡିଓ କ୍ଷିରୋଦ କୁମାର ବେହେରା । ମାଡ଼ ଖାଉଥିବା ଲୋକର ଭୁଲ ଥିଲା ଏତିକି ସେ ବିଡ଼ିଓଙ୍କୁ ଗଣ୍ଡେ ଖାଇବାକୁ ମାଗିଥିଲେ । ଆଉ ଏହା ପରେ ଯାହା ଘଟିଲା ତାହା ଆପଣଙ୍କ ଆଖି ସାମ୍ନାରେ । ଟିକେ ନଜର ପକାନ୍ତୁ ଏହି ଭିଜୁଆଲ ଉପରେ ।
ଦେଖିଲେ ତ’ ଏମାନେ କାଳେ ଜନତାଙ୍କ ସେବା କରିବା ଲାଗି ସପଥ ନେଇଥାନ୍ତି । ତେବେ ମୁଣ୍ଡକୁ ହାତ ପାଇଯିବା ପରେ କିଭଳି ଜନତାଙ୍କ ସେବା କରନ୍ତି ୟାଠୁ ବଡ଼ ପ୍ରମାଣ ଆଉ କ’ଣ ହୋଇପାରେ । ରିପୋର୍ଟ ଅନୁସାରେ, ପଣ୍ଡାପଡାରେ କାଳିଆ ଚାଷୀ ସମାବେଶକୁ ଯିବା ଲାଗି ଖୋଦ ବିଡିଓ କେତେକ ଗାଡି ନିୟାଜିତ କରିଥିଲେ । ଗାଡି ଡ୍ରାଇଭରଙ୍କ ଲାଗି ବିସ୍କୁଟ ବ୍ୟବସ୍ଥା ହୋଇଥିଲେ ବି ତାହା ସେମାନଙ୍କୁ ମିଳିନଥିଲା । ତେଣୁ ଭୋଗ ଲାଗିବାରୁ ସେମାନେ ବିଡ଼ିଓକୁ ଖାଇବାକୁ ମାଗିବାରୁ ବିଡ଼ିଓ ବାବୁଙ୍କ ମୁଣ୍ଡକୁ ପିତ ଚଢ଼ିଯାଇଥିଲା ।
ସର୍ବସମ୍ମୁଖରେ ବିଡ଼ିଓ ବିଧାଗୋଇଠା ମାରିଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏବେ ଆମର ପ୍ରଶ୍ନ….. ମାଡ ମାରିବାକୁ ବିଡ଼ିଓଙ୍କୁ ଏତେ ସାହାସ ଦେଲା କିଏ? ଖାଇବା ମାଗିବା କ’ଣ ଭୁଲ? କାହିଁକି ଭିଡ଼ିଓ ଭାଇରାଲ ପରେ ଚୁପ ବସିଛି ପୁଲିସ? ଆଶା କରିବୁ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବରିଷ୍ଠ ଅଧିକାରୀ…ବ୍ୟୁରୋ ରିପୋର୍ଟ ଏଟିଆର ନ୍ୟୁଜ୍