କେନ୍ଦୁଝର,(ଏଟିଆର ବ୍ୟୁରୋ): ପୁଣି ଏକ ବଡ଼ ଦୁର୍ଘଟଣା । କେନ୍ଦୁଝର ହରିଚନ୍ଦନପୁର ନିକଟରେ ଟ୍ରକକୁ ଧକ୍କା ଦେଲା ଯାତ୍ରୀ ବାହି ବସ । ସୋମବାର ରାତି ପ୍ରାୟ ୨ଟାରେ ଘଟିଥିବା ଏହି ଦୁର୍ଘଟଣାରେ ବସ ହେଲପରର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସପିଟାଲରେ ଭର୍ତ୍ତି କରିଛି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି । ବସଟି ବଡ଼ବିଲରୁ ଭୁବନେଶ୍ୱର ଆସୁଥିବା ସୂଚନା ମିଳିଛି ।
ରିପୋର୍ଟ ଅନୁସାରେ, ବଡ଼ବିଲରୁ ସ୍ୱସ୍ତି ନାମକ ବସ ଭୁବନେଶ୍ୱର ଆସୁଥିଲା । ଗାଡିରେ ପାଖାପାଖି ୫୦ରୁ ଅଧିକ ଯାତ୍ରୀ ଥିବା ଜଣାପଡିଛି । ତେବେ ହରିଚନ୍ଦନପୁର ଛକ ନିକଟରେ ଏକ ଟ୍ରକ ଖରାପ ହୋଇ ରାସ୍ତା କଡ଼ରେ ଅଟକି ଥିଲା । ଠିକ ଏହି ସମୟରେ ବସଟି ଟ୍ରକକୁ ପଛଆଡୁ ଧକ୍କା ଦେଇଥିଲା । କେହି କିଛି ବୁଝିବା ପୂର୍ବରୁ ୨୦ରୁ ଅଧିକ ଯାତ୍ରୀ ଲହୁଲୁହାଣ ହୋଇଥିଲେ । ଆଉ ଘଟଣାସ୍ଥଳରେ ଆଖି ବୁଜିଥିଲା ବସ ହେଲପର । ତେବେ ବସ ଡ୍ରାଇଭରର ନିଦରେ ଆଖି ଲାଗି ଯିବାରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ପୁଲିସ ପୂରା ଘଟଣାର ତଦନ୍ତ କରୁଛି ।