ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତକାଲି ନୂଆଦିଲ୍ଲୀ ଠାରେ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସସିଏଲ)କୁ ମିଳିଛି ସ୍ମାର୍ଟସିଟି ସଶକ୍ତୀକରଣ ପୁରସ୍କାର ୨୦୨୦ ସମ୍ମାନ । ଏହି ସମ୍ମାନଟିକୁ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପ୍ରଦାନ କରିଛନ୍ତି । ଭୁବନେଶ୍ୱର ସହରରେ ବନ୍ୟା ପରିସ୍ଥିତି ପରିଚାଳନା ପାଇଁ ‘ମୁଁ ସେଭିଅର’ ଆପ ନିମନ୍ତେ ବିଏସସିଏଲକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ତେବେ ଏହି ‘ମୁଁ ସେଭିଅର’ ଆପ ହେଉଛି ସୂଚନା ଓ ପ୍ରଯୁକ୍ତି ବିଦ୍ୟ। ଆଧାରିତ । ଯାହା ଭବିଷ୍ୟତରେ ସହରର ବନ୍ୟା ପରିସ୍ଥିତିକୁ ରୋକିବାରେ ସହାୟକ ହେବ ।
ଏହି ଆପ ହେବା ଫଳରେ ସହରର ଦୁର୍ବଳ ସ୍ଥାନରେ ବନ୍ୟା ପରିସ୍ଥିତି ପ୍ରଭାବିକୁ କମ କରିବାକୁ ସହାୟକ ହେବ ବୋଲି ସ୍ମାର୍ଟସିଟି କତ୍ତୃପକ୍ଷ ପ୍ରକାଶ କରିଥିଲେ । ଏହି ଆପରେ ଡିଜିଟାଲ ସମାଧାନ ସ୍ବରୂପ ନାଗରିକମାନେ ଡ୍ରେନ ଗୁଡିକରେ ଚିହ୍ନଟ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପଏଣ୍ଟଗୁଡିକର ସ୍ଥିତି ବିଷୟରେ ସୂଚନା ଦେଇପାରିବେ। ଏହାସହ ନାଗରିକମାନଙ୍କ ଠାରୁ ୩ଟି ସୂଚନା ଯଥା ଡ୍ରେନରେ ପଡ଼ି ରହିଥିବା ଅଳିଆ, ଡ୍ରେନର ଜଳ ପ୍ରବାହ ଏବଂ ଜଳସ୍ତରର ସୂଚନା ଗ୍ରହଣ କରିବ। ଏହି ସୂଚନା ସିଧାସଳଖ ବିଏସସିଏଲର ଆନାଲିଟିକାଲ ସିଷ୍ଟମକୁ ଯିବ। ଫଳରେ ବିଏସସିଏଲ ସମସ୍ୟା ବିଶ୍ଳେଷଣ କରି ତା’ର ସମାଧାନ ପାଇଁ କାର୍ଯ୍ୟ କରିବ। ଏହି ସୂଚନା ଆଧାରରେ ସହରରେ ବିଭିନ୍ନ କାର୍ଯ୍ୟ ପାଇଁ ଥିବା ଅଧିକାରୀମାନଙ୍କୁ ସୂଚିତ କରାଯିବ। ନିର୍ଦ୍ଦେଶ ଅନୁଯାୟୀ ଅଧିକାରୀମାନେ ବନ୍ୟା ପରିସ୍ଥିତି ଏବଂ ଡ୍ରେନ ସଫା କରିବା ପାଇଁ କାର୍ଯ୍ୟ କରିବେ। ତେବେ ଏହି ଆପଟି ୨୦୧୯ ଡିସେମ୍ବରରେ ବିଏସସିଏଲ ଏବଂ ବିଏମସି ଜର୍ମାନ ଡେଭ୍ଲପ୍ମେଣ୍ଟ କୋପରେଶନ (ଜିଆଇଜେଡ୍) ସହିତ ସହବନ୍ଧିତରେ ଭୁବନେଶ୍ୱରର ନୟାପଲ୍ଲୀ ଏବଂ ଶତାବ୍ଦୀନଗରରେ ଆରମ୍ଭ କରିଥିଲା।