ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଘୋଷଣା ହେଲା ବିଜେପୁର ଉପନିର୍ବାଚନ ତାରିଖ । ଆସନ୍ତା ଅକ୍ଟୋବର ୨୧ ରେ ବିଜେପୁର ଉପନିର୍ବାଚନ ପାଇଁ ପଡିବ ଭୋଟ । ଏନେଇ ଆଜି ଭାରତୀୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ଆଜିଠାରୁ ବିଜେପୁର ଉପନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହୋଇଛି । ସୂଚନା ଅନୁସାରେ- ସେପ୍ଟେମ୍ଭର ୩୦ ତାରିଖ ରହିଛି ପାର୍ଥୀପତ୍ର ଦାଖଲର ଶେଷ ତାରିଖ । ଅକ୍ଟୋବର ୧ ପ୍ରାର୍ଥୀପତ୍ର ଯାଞ୍ଚ । ଅକ୍ଟୋବର ୨୧ ଭୋଟ ଓ ଅକ୍ଟୋବର ୨୪ ରେ ଭୋଟ ଗଣତି ହେବ । ତେବେ ଏ ନେଇ ସେପ୍ଟେମ୍ଭର ୨୩ ରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ।
ସୂଚନାଯୋଗ୍ୟ ଗତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ହିଂଜିଳି ଓ ବିଜେପୁର ଦୁଇଟି ଆସନରୁ ବିଜୟୀ ହୋଇଥିଲେ । ପୂର୍ବରୁ ସେଠାରୁ ଉପ ନିର୍ବାଚନ ଜିତି ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଧାୟିକା ହୋଇଥିଲେ । ପରେ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ସେଠାରୁ ପାର୍ଥୀ ହୋଇ ବିଜୟ ହୋଇଥିଲେ । ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପାରମ୍ପରିକ ଆସନ ହିଂଜିଳି ଆସନକୁ ହାତରେ ରଖି ବିଜେପୁର ଛାଡିଥିଲେ । ଫଳରେ ପୁଣି ବିଜେପୁର ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ ।
ବିଜେପୁର ଉପ ନିର୍ବାଚନ ପାଇଁ ବିଜେପୁରରେ ଏବେ ମାହୋଲ ଗରମ ରହିଛି । ତିନି ପ୍ରମୁଖ ଦଳ କିଏ କାହାକୁ ପ୍ରାର୍ଥୀ କରିବେ ତାକୁ ନେଇ ଅଙ୍କକଷା ଆରମ୍ଭ କରିଛନ୍ତି । ଗତ ଅଠର ତାରିଖରେ ବିଜେଡି ବିଜେପୁର ପାଇଁ କମିଟି ଗଠନ କରିଛି । କମିଟିରେ ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ , ସଂଜୟ ଦାସବର୍ମା ଆଦି ୪ଜଣ ନେତା ରହିଛନ୍ତି । ତେବେ ହେବାକୁ ଥିବା ଏହି ଉପ ନିର୍ବାଚନରେ ଶାସକ ବିଜେଡି ରୀତା ସାହୁଙ୍କୁ ପୁଣି ରିପିଟ କରିବ ବୋଲି ଚର୍ଚ୍ଚା ଜୋର ଧରିଛି ।