ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଘରୁ ଖୁସି ହୋଇ ବାହାରିଥିଲେ ଦମ୍ପତି । ମାତ୍ର ରାସ୍ତାରେ ସବୁ ଖୁସି ସେମାନଙ୍କର ହଜିଗଲା । ଆଖିରେ ଭରିଥିବା ଖୁସି କ୍ଷଣିକରେ ରକ୍ତାକ୍ତ ହୋଇଗଲା । ସକାଳୁ ମକର ସଂକ୍ରାନ୍ତିରେ ଘରୁ ବାହାରିଥିବା ଦମ୍ପତି ଦୁର୍ଘଟଣାର ଶିକାର ହୋଇଛନ୍ତି । ସେମାନଙ୍କ ଉପରେ ମାଡି ଯାଇଛି ବସ । ଘଟଣାସ୍ଥଳରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଛନ୍ତି ପତ୍ନୀ । ତେବେ ତାଙ୍କ ଅବସ୍ଥା ମଧ୍ୟ ସଙ୍ଗୀନ ଥିବା ଜଣାପଡିଛି । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ପୋଲିସ ପହଁଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଧଉଳି ଥାନା ଅନ୍ତର୍ଗତ ଉତରା ଛକ ନିକଟରେ ।
ରିପୋର୍ଟ ଅନୁସାରେ ଦିନ ପ୍ରାୟ ୧୧ଟା ବେଳେ ଦମ୍ପତି ଦ୍ୱୟ ପୁରୀ ଅଭିମୁଖେ ବାଇକରେ ଯାଉଥିଲେ । ଅଚାନକ ପଛପଟୁ ପଦ୍ମାବତୀ ନାମକ ବସ (ଓର ୦୫ ଏବି ୧୬୮୩) ତାଙ୍କୁ ଧକ୍କା ଦେଇଥିଲା । ଖାଲି ଧକ୍କା ନୁହେଁ ଉଭୟଙ୍କ ଉପରେ ବସ ମାଡି ଯାଇଥିବା ଲୋକେ ପ୍ରକାଶ କରିଛନ୍ତି । ତେବେ ଏହି ଦୁର୍ଘଟଣା ପରେ ଜାତୀୟ ରାଜପଥ ଉପରେ ଢ଼େର ସମୟ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ପହଁଞ୍ଚି ଉତ୍ୟକ୍ତ ଲୋକଙ୍କୁ ନିୟନ୍ତ୍ରଣ କରିଥିଲା ।