କଟକ(ଏଟିଆର ବ୍ୟୁରୋ): ସାର ବିଶ୍ୱକୁ ଏବେ କରୋନା ଭାଇରସର ଚିନ୍ତା ଘାରିଛି । ଚୀନରୁ ଆରମ୍ଭ ହୋଇଥିବା ଏହି ଭାଇରସ ବର୍ତ୍ତମାନ ଚାରିଆଡେ ବ୍ୟାପିବାରେ ଲାଗିଛି । ଖାଲି ଚୀନରେ କରୋନା ଭାଇରସ ୫୬୦ ଜଣଙ୍କ ଜୀବନ ନେଇ ସାରିଲାଣି । ଏହା ସହ ୨୮ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଚୀନକୁ ଛାଡି ଦେଲେ ଏହି ଭାଇରସ ୨୫ଟି ଦେଶକୁ ବ୍ୟାପିଲାଣି ।
କୋରନା ଭାଇରସକୁ ନେଇ କେନ୍ଦ୍ର ସରକାର କିଛିଦିନ ପୂର୍ବରୁ ଚୀନ ଉହାନରୁ ୩୨୪ଜଣ ମେଡିକାଲ ଛାତ୍ରଛାତ୍ରୀ ମାନଙ୍କୁ ବିମାନ ଯୋଗ ଭାରତକୁ ଫେରାଇ ଆଣିଥିଲେ । ଏଥିରେ ୩୩ ଜଣ ଓଡିଆ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ମଧ୍ୟରେ କରୋନା ଭାଇରସର ଲକ୍ଷଣ ଦେଖାଯାଇଥିଲା । ତିନି ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ଦୁଇ ଜଣ ଚିକିତ୍ସିତ ହେଉଛନ୍ତି । କରୋନା ଭାଇରସକୁ ନେଇ ଆଜି କେନ୍ଦ୍ରୀୟ ଟିମ ଓଡିଶା ଗସ୍ତ କରିଛି ।
ଏହି ଟିମ୍ ସ୍ୱାସ୍ଥ୍ୟ ସଚିବ, ଡିଏମ୍ଇଟି ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି। ଏହା ପରେ କଟକ ଏସସିବି ଯାଇ ଆଇସୋଲେସନ୍ ୱାର୍ଡ ପରିଦର୍ଶନ କରିଛନ୍ତି। ସେଣ୍ଟ୍ରାଲ ଟିମ୍ରେ ଅଛନ୍ତି ଡାକ୍ତର ଶିଖା ବର୍ଦ୍ଧନ, କପୁର ଚୌଧୁରୀ, ଅନୁରାଧା ସୁଲାନିଆ। ଏହି ଟିମ୍ରେ ଜନସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆଞ୍ଚଳିକ ନିର୍ଦ୍ଦେଶକ ସୁଶାନ୍ତ କୁମାର କର ମଧ୍ୟ ଅଛନ୍ତି।