ପାରାଦୀପ ( ଏଟିଆର ବ୍ୟୁରୋ) : ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ରୂପ ନେଉଛି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାର ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ କୁଜଙ୍ଗରେ ଆଜି ୨ ଟି ପଞ୍ଚାୟତକୁ ସଟଡାଉନ ଘୋଷଣା କରାଯାଇଛି । କୁଜଙ୍ଗର ସାଇଲୋ ଓ ତାଳପଡା ପଞ୍ଚାୟତକୁ ଆଜି ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି ।
ସାଇଲୋ ପଞ୍ଚାୟତରୁ ୨ ଜଣ ତାଳପଡା ପଞ୍ଚାୟତରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଉକ୍ତ ୨ ପଞ୍ଚାୟତକୁ ସଟଡାଉନ ଘୋଷଣା କରାଯାଇଛି । ସୂଚନା ଅନୁସାରେ ସାଇଲୋ ପଞ୍ଚାୟତରୁ ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ହାଇଦ୍ରାବାଦରୁ ଘରକୁ ଫେରିଥିଲେ ମାତ୍ର ସେ ପ୍ରଶାସନକୁ ନ ଜଣାଇ ଘରେ ରହିଥିଲେ । ଏନେଇ ସରପଞ୍ଚ ଜାଣିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାର ବ୍ୟବସ୍ଥା କରାଇଥିଲେ । ମାତ୍ର ସେମାନେ ଶୁଣିନଥିଲେ ।
ଏନେଇ ସ୍ଥାନୀୟ ସରପଞ୍ଚ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ତେବେ ପ୍ରଶାସନର ହସ୍ତକ୍ଷେପ ପରେ ସେମାନେ କ୍ୱାରେଣ୍ଟାଇନକୁ ଯାଇଥିଲେ । ମାତ୍ର ପରେ ସେମାନଙ୍କ ନମୂନା ପରୀକ୍ଷା କରାଯିବା ପରେ ରିପୋର୍ଟ ପଜିଟିଭ ଆସିଥିବା ଜଣା ପଡିଛି । ଏନେଇ ଏବେ କୋଭିଡ ମାମଲା ମଧ୍ୟ ରୁଜ୍ଜୁ କରାଯାଇଛି ।