ଯାଜପୁର,(ଏଟିଆରବ୍ୟୁରୋ): ଅଧିକ ଯୌତୁକ ଦାବି କରି ବୋହୂକୁ ହତ୍ୟା ଉଦ୍ୟମ । ନୂଆ ବୋହୂ ଦେହରେ ଢ଼ାଳିଦେଲେ ଏସିଡ୍ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ପାଣିକୋଇଲି ଅଞ୍ଚଳର କରଦା ଗାଁରେ । ସିଧା କହିବାକୁ ଗଲେ ଶ୍ୱଶୁର ଘର ଲୋକେ ଏଠି ପାଲଟି ଯାଇଛନ୍ତି ନୃଶଂସ । ଗୁରୁତର ଅବସ୍ଥାରେ ଆହତ ମହିଳାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅବସ୍ଥା ଗୁରୁତର ଥିବା ଡାକ୍ତର ସୂଚନା ଦେଇଛନ୍ତି । ସେପଟେ ଏନେଇ ଥାନାରେ ଅଭିଯୋଗ ପହଞ୍ଚିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ରିପୋର୍ଟ ଅନୁସାରେ, ବିବାହାର ମାତ୍ର ୨ମାସ ପରେ ପୂରା ଶ୍ୱଶୁର ଘର ଲୋକେ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ବାରମ୍ବାର ବାପ ଘରୁ ଟଙ୍କା ଆଣିବାକୁ ଚାପ ପକାଉଥିଲେ । ଫଳରେ ମଝିରେ ଯନ୍ତ୍ରଣା ସହ୍ୟ ନକରିପାରି ନବବଧୂ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଉଭୟ ପରିବାର ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା । ହେଲେ ଯୌତୁକ ପାଇବା ନିଶା କିନ୍ତୁ ମୁଣ୍ଡରୁ ଖସି ନଥିଲା । ଶେଷରେ ବୋହୂ ଉପରେ ସମସ୍ତେ ମିଶି ଏସିଡ ଢ଼ାଳି ଦେଇଥିବା ଏବେ ଅଭିଯୋଗ ଉଠିଛି । ଘଟଣା ପଛର ପ୍ରକୃତ କାରଣ କ’ଣ ଜାଣିବା ନେଇ ପୁଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି । ସୂଚନାଯୋଗ୍ୟ, ବିନୋଦ ସେଠୀଙ୍କ ପତ୍ନୀଙ୍କ ଉପରେ ଏସିଡ୍ ମାଡ ହୋଇଛି ।