ଢ଼େଙ୍କାନାଳ (ଏଟିଆର ବ୍ୟୁରୋ); ରାତି ଅଧରେ କବାଟ ଠକ ଠକ କଲେ । କବାଟ ଖୋଲିବା ପରେ ଅସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିନେନଲେ ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ତୁମୁସୁଙ୍ଗା ଥାନା ଅନ୍ତର୍ଗତ ପଣ୍ଡୁଆଠାରେ । ଛକ ନିକଟରେ ରହୁଥିବା ସେସୁ କର୍ମଚାରୀ ମନୋଜ ସାହୁଙ୍କ ଘରେ ପାଞ୍ଚ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ପଶି ନଗଦ ୩ ଲକ୍ଷ ଟଙ୍କା ଏବଂ ୧୩ ଭରି ସୁନା ଗହଣା ଲୁଟି ନେଇଛନ୍ତି । ତେବେ ଏଥିରେ ବିରୋଧ କରିବାରୁ ମନୋଜଙ୍କୁ ଧାରୁଆ ଅସ୍ତ୍ରରେ କାଟି ପକାଇଛନ୍ତି । ଥାନାରେ ଏଭଲା ଦେବା ପରେ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ୯ଟା ବେଳେ ମନୋଜଙ୍କ କବାଟ ଠକ ଠକ ହୋଇଥିଲା । କବାଟ ଖୋଲିବା ପରେ ହଠାତ ପାଞ୍ଚ ଜଣ ଦୁର୍ବୃତ୍ତ ତାଙ୍କ ଅସ୍ତ୍ର ଦେଖାଇ ଘର ଭିତରକୁ ନେଇ ଯାଇଥିଲେ । ଏହା ପରେ ଘରେ ଥିବା ୩ ଲକ୍ଷ ଟଙ୍କା ଏବଂ ୧୩ ଭରି ସୁନା ଲୁଟି ନେଇଥିଲେ । ତେବେ ଏହାକୁ ମନୋଜ ବିରୋଧ କରିବାରୁ ତାଙ୍କୁ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ପଛପଟୁ କାଟି ଦେଇଥିଲେ । ଏହି ଚୋରମାନେ ରାତି ୧୧ଟା ପର୍ଯ୍ୟନ୍ତ ତାଙ୍କ ଘରେ ରହି ଲୁଟପାତ କରିଥିଲେ । ପରେ ସେମାନେ ଯିବା ପରେ ପୋଲିସରେ ଖବର ଦେଇଥିଲେ ମନୋଜ । ପୋଲିସ ଖବର ପାଇବା ପରେ ଘରକୁ ଆସି ଛାନଭିନ ଆରମ୍ଭ କରିଛି ।
ତେବେ ଏହି ଚୋରୀ କେହି ଜଣାଶୁଣା ଲୋକ କରିଥାଇପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ମନୋଜଙ୍କ ଘରେ ଏତେ ଟଙ୍କା ଅଛି ବୋଲି ଦୁର୍ବୃତ୍ତମାନେ ଜାଣିଲେ କେମିତି? ଏବଂ କେଉଁ ଜାଗାରେ ରହିଥିଲା ତାହା ବି ଜାଣିଲେ କେମିତି? ଏଣୁ ଏଠାରେ ପ୍ରଶ୍ନ ଉଠୁଛି କେହି ଜାଣିବା ଶୁଣିବା ଲୋକ ଏହି ଚୋରୀରେ ସମ୍ପୃକ୍ତ ରହିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ଏହି ଚୋରୀ ହେବା ପରେ ସ୍ଥାନୀୟ ଅଞ୍ଚଳରେ ରାତିରେ ସମସ୍ତେ ଡରି ଯାଇଥିବା ଶୁଣିବାକୁ ମିଳିଛି । କାଳେ ଆଉ କାହା ଘରେ ଚୋର ପଶି ପୁଣିଥଲେ ଲୁଟପାତ କରିବେ ଏଣୁ ସମସ୍ତେ ଅନିଦ୍ରା ମଧ୍ୟ ରହିଥିଲେ ।