ପୁରୀ (ଏଟିଆର ବ୍ୟୁରୋ); ପୁଣି ମାଡ ଖାଇଲେ ଆଉ ଜଣେ ସାମ୍ବାଦିକ । ଭୁବନେଶ୍ୱର ଏବଂ କେନ୍ଦ୍ରାପଡା ପରେ ଏଥର ମାଡ ଖାଇଛନ୍ତି ପୁରୀ ସାମ୍ବାଦିକ । ଘରୋଇ ଖବର କାଗଜ ପ୍ରମେୟରେ କ୍ରାଇମ ରିପୋର୍ଟର ଭାବରେ କାର୍ଯ୍ୟ କରୁଥିବା ବିକ୍ରମଙ୍କୁ ମାଡ ମାରିଥିବା ଅଭିଯୋଗ ଆସିଛି । ପୋଲିସ ଖବର ପାଇବା ପରେ ବିକ୍ରମଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ସେପଟେ ମାଡ ମାରିଥିବା ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ଜଣା ପଡିଛି । ପୋଲିସର ତଦନ୍ତ ଜାରି ରହିଛି ।
ଅଭିଯୁକ୍ତଙ୍କ ବିରୋଧରେ ଖବର ପ୍ରସାରଣ କରିବାରୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଶୁକ୍ରବାର ବେଲେଶ୍ୱର ପାଟଣା ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ୩ରୁ ୪ ଜଣ ଦୁର୍ବୃତ୍ତ ଆସି ବେଲେଶ୍ୱର ପାଟଣା ୱାଟର ପାର୍କ ଛକରେ ବିକ୍ରମଙ୍କ ଉପରେ ଆକ୍ରମଣ କରିଥିଲେ । ନିର୍ଦ୍ଧୁମ ମାଡ ମାରିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ । ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ସହ ଅପରାଧୀଙ୍କୁ ଖୋଜାଖୋଜି କରୁଛି । ସେପଟେ ସାମ୍ବାଦିକଙ୍କୁ ମାଡ ମରା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।
ବାରମ୍ବାର ସାମ୍ବାଦିକଙ୍କୁ ମାଡ ଏବଂ ମରଣାନ୍ତକ ଆକ୍ରମଣ ସାରା ରାଜ୍ୟରେ ବଢ଼ିବାରେ ଲାଗିଛି । ଦିନକୁ ଦିନ ଏପରି ଘଟଣାର ପୁନରାବୃତ୍ତି ହେବାରେ ଲାଗିଛି । ତେବେ ଏହାକୁ ନେଇ ସବୁ ଦିଗରୁ ବହୁତ ନିନ୍ଦା କରାଯାଇଛି । ସତ ଖବର ସଂଗ୍ରହ କରିବା ହେଉଛି ଜଣେ ସାମ୍ବାଦିକର ଧର୍ମ । ଏବଂ ଏହି ଖବର ପ୍ରସାରଣ କରିବା ଯଦି ଅପରାଧ ତେବେ ଯେତେ ମାଡ ଖାଇଲେ ମଧ୍ୟ ସାମ୍ବାଦିକମାନେ ଏଭଳି କରିବେ ବୋଲି ସୂଚନା ମିଳିଛି । ତେବେ ଏଠାରେ ପ୍ରଶ୍ନ ଉଠିଛି ଖବର ସଂଗ୍ରହ କରିବା କଣ ଭୁଲ? ନା ସତ୍ୟ ଖବର ପ୍ରସାରଣ କରିବା ଭୁଲ? ଏଭଳି ପ୍ରଶ୍ନ ଉଠିଛି ସାଧାରଣ ଜନତାଙ୍କ ମନରେ ।
ସେ ନୟାଗଡ ହେଉ ବା କେନ୍ଦ୍ରାପଡା ସବୁଠି ଆକ୍ରମଣର ଶିକାର ହେଉଛନ୍ତି ସାମ୍ବାଦିକ । ତେବେ ଅନ୍ୟାୟ ଅନୀତି କରୁଥିବା ଦୁର୍ନୀତି ଖୋର ଲୋକ କେବେ ଚେତିବେ। ଏଭଳି ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା । ସବୁବେଳେ ଲୋକଙ୍କ ମଙ୍ଗଳ କାମନା କରିବା ଏବଂ ସାହାର୍ଯ୍ୟ କରିବା ପାଇଁ ସାମ୍ବାଦିକମାନେ ଆଗଭର ହୋଇଥାନ୍ତି । ମାତ୍ର ଏହାର ପ୍ରତିଦାନ କଣ ମାଡ । ସତ ଖବର ପ୍ରସାରଣ କରିବା ପାଇଁ କଣ ମରଣକୁ ସାମନା କରିବାକୁ ପଡିବ । ଏଭଳି ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।