ଅନୁଗୁଳ(ଏଟିଆର ବ୍ୟୁରୋ): ଅନୁଗୁଳ ଜିଲ୍ଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହେରଫେର ମାମଲାରେ ନୂଆ ଟ୍ୱିଷ୍ଟ । ଗତକାଲି ଟଙ୍କା ହେରଫେର ମାମଳାରେ ଅନୁଗୁଳ ଏଚଡିଏଫସି ବ୍ୟାଙ୍କର ପୂବର୍ତ୍ତନ ମ୍ୟାନେଜରଙ୍କୁ ଗିରଫ କରାଯିବା ପରେ ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ଟଙ୍କା ଫେରି ଆସିଛି । ଏହି ଟଙ୍କା ସରକାରଙ୍କ ପକ୍ଷରୁ ୨୦୧୩ ମସିହାରେ ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ପଠାଯାଇ ଥିଲା । ସୂଚନା ଅନୁସାରେ ଗତ ୨୦୧୭-୨୦୧୮ ମସିହାରେ ଅନୁଗୁଳ ଜିଲ୍ଲାପାଳ ମନୋଜ ମାହାନ୍ତିଙ୍କ ଏଚଡିଏଫସି ବ୍ୟାଙ୍କରୁ ଜାଲ ଦସ୍ତଖତ କରି ପାଖାପାଖି ୬୦ଲକ୍ଷ ଟଙ୍କା ଉଠାଇ ନିଆଯାଇଥିଲା ।
ଟଙ୍କା ଆତ୍ମସାତ ହୋଇଥିବା ଜଣାପଡ଼ିବା ପରେ ଗତ ୧୧ ତାରିଖ ଦିନ ଆସିଷ୍ଟାଣ୍ଟ କଲେକ୍ଟର ରଂଜନ ମହାନ୍ତି ଅନୁଗୁଳ ଥାନାରେ ଏତଲା ଦେଇଥିଲେ । ତେବେ ବର୍ତ୍ତମାନ ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ୫୯ଲକ୍ଷ ୪୧ହଜାର ୪୮୧ଟଙ୍କା ଫେରି ଆସିଛି । ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ଏହି ଟଙ୍କା ଫେରାଇ ଦିଆଯାଇଛି ବୋଲି କୁହାଯାଇଛି । ସେତେବେଳେ ଏଚଡିଏଫସି ବ୍ୟାଙ୍କ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ଶକ୍ତିବେଦାନ୍ତ ଦାସ ଜାଳ ଦସ୍ତଖତ ଓ ଚେକ ଦ୍ୱାରା ଏହି ଟଙ୍କା ଉଠାଇ ଚାକିରି ଛାଡି ଦେଇଥିଲେ । ବର୍ତ୍ତମାନ ଶକ୍ତି ଆଇଡିଏଫସି ବ୍ୟାଙ୍କର ଭୁବନେଶ୍ୱର ଶାଖାରେ କାର୍ଯ୍ୟରତ ଥିଲେ । ତେବେ ଶକ୍ତିଙ୍କ ଘର ଭୁବନେଶ୍ୱର ଲିଙ୍ଗରାଜ ଥାନା ଅନ୍ତର୍ଗତ ନାଗେଶ୍ୱର ଟାଙ୍ଗି ଅଞ୍ଚଳରେ ବୋଲି ଜଣା ପଡିଛି । ପୋଲିସ ଶକ୍ତିଙ୍କୁ ଗିରଫ କରି କୋର୍ଟ ଚାଳଣ କରିବା ସହ ଏହି ହେରଫେର ମାମଳାରେ ବ୍ୟାଙ୍କର ଅନ୍ୟ କୌଣସି କର୍ମଚାରୀ କିମ୍ବା କୌଣସି ଅଧିକାରୀଙ୍କ ସପୃକ୍ତି ଅଛିକି ନାହିଁ ସେ ବିଷୟରେ ତଦନ୍ତ କରୁଛି ।