ଭୁବନେଶ୍ୱର,୨୫ ।୨/(ବ୍ୟୁରୋ): ରାଜ୍ୟରେ ବେକାରୀ ସମସ୍ୟା ଏଭଳି ଉତ୍କଟ ସ୍ଥିତିରେ ପହଞ୍ଚିଛି ଯେ ଲୋକେ ନିଯୁକ୍ତି ପାଇବା ପାଇଁ ଜାଲିଆତି କରିବାକୁ ପଛଉ ନାହାନ୍ତି । ତେବେ ଏହି ଜାଲିଆତି ବିଗତ ଦିନମାନଙ୍କରେ ଦେଖାଦେଇଥିବା ବେଳେ ଏବେ ପୁଲିସ ବିଭାଗରେ ଏହା ମୁଣ୍ଡ ଟେକିଛି । ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେବା ଅଭିଯୋଗରେ ଆଜି କ୍ୟାପିଟାଲ ଥାନା ପୁଲିସ ଓଆଇଏସଏଫର ଜଣେ କନଷ୍ଟେବଳଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ମୟୁରଭଙ୍ଗ ଜିଲ୍ଲା ବାଙ୍ଗୀରିପୋଷୀର ମନୋଜ କୁମାର ସିଂହ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ, ୨୦୧୬ରେ ଓଆଇଏସଏଫରେ ୧୨ ଶହ କଷ୍ଟେବଳ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଥିଲା । ଏଥିରେ ଅଭିଯୁକ୍ତ ମନୋଜ ଆବେଦନ କରି ଉର୍ତ୍ତିର୍ଣ୍ଣ ହୋଇ କଷ୍ଟେବଳ ନିଯୁକ୍ତ ହୋଇଥିଲେ । ନିଯୁକ୍ତ ହେବା ପରେ ସେ ଦାଖଲ କରିଥିବା ଶିକ୍ଷାଗତ ପ୍ରମାଣପତ୍ର ମଧ୍ୟରୁ ମାଟ୍ରିକର ସାର୍ଟିଫିକେଟ୍ ଜାଲ ବାହାରିଥିଲା । ଏହାକୁ ନେଇ ଓଆଇଏସଏଫର ବରିଷ୍ଠ ଅଧିକାରୀ ଅଭିଯୋଗ କରିବା ପରେ ଆଜି ତାଙ୍କୁ ପୁଲିସ ଗିରଫ କରିଛି । ତେବେ ଏହି ପଦବୀରେ ନିଯୁକ୍ତି ପାଇଥିବା କେବଳ ମନୋଜ ନା ଅନ୍ୟ କେହି ଏଥିରେ ସଂପୃକ୍ତି ଅଛନ୍ତି ତାହା ମଧ୍ୟ ସନ୍ଦେହ ଘେରକୁ ଆସିଛି । ସେହିପରି ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ନେଇ ପୁଲିସ ଜାଣିନପାରିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।