ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପାଟଣାଗଡ଼ ପାର୍ସଲ ବୋମା ବିଷ୍ଫୋରଣ ଘଟଣାରେ ଏବେ ସାମିଲ ହୋଇଛି କ୍ରାଇମବ୍ରାଞ୍ଚ । ୧୩ ଦିନ ମଧ୍ୟରେ ପୁଲିସକୁ ମିଳିଥିବା ୫ଟି ସୁରାକକୁ ନେଇ ଏବେ ତଦନ୍ତ ଜୋରଦାର ଆଗେଇଛି । ୪ଟି ଟିମ ଚଣ୍ଡିଗଡ଼, ମହୀଶୂର ଓ ବେଙ୍ଗାଲୁରରେ ଛାନଭିନ ଚଳାଇଥିବା ବେଳେ ଏବେ ବଲାଙ୍ଗିର ପୁଲିସ୍ ସହ ତଦନ୍ତରେ ସାମିଲ ହୋଇଛି କ୍ରାଇମବ୍ରାଞ୍ଚ ଟିମ୍ ।
ପୁଲିସକୁ ଯେଉଁ ସୁରାକ ମିଳିଥିଲା ସେଥିରେ ଜଣେ ସନ୍ଦିଗ୍ଧଙ୍କୁ ମାରାଥନ ଜେରା କରାଯାଇଛି । ଯଦିଓ ଜେରା ପରେ ତାକୁ ଛାଡ଼ି ଦିଆଯାଇଛି ତଥାପି ଘଟଣାରେ ଆଉ ଜଣଙ୍କୁ ସନ୍ଦେହ ଘେରକୁ ଆଣିଛି ପୁଲିସ । ଖୁବ ଶୀଘ୍ର ତାକୁ ଜେରା କରାଯିବ ବୋଲି ବଲାଙ୍ଗିର ଅତିରିକ୍ତ ଏସ୍ପି ଶଶିଭୁଷଣ ଶତପଥୀ ସୂଚନା ଦେଇଛନ୍ତି ।
ତାଙ୍କ କହିବାନୁସାରେ, ଶେଖରଙ୍କ ନାଁ ସୌମ୍ୟ ଶେଖର ସାହୁ । କିନ୍ତୁ ସେ ଚାକିରି କରୁଥିବା ଜାଗାରେ ଲୋକେ ତାଙ୍କୁ ଶେଖର ବୋଲି ଅଧିକ ଜାଣିଛନ୍ତି । ସେପଟେ ବୋମା ଆସିଥିବା ପାର୍ସଲ ବି ଶେଖର ସାହୁ ନାଁ ରେ ହିଁ ଆସିଥିଲା । ଯାହାର କେଉଁଠି ନା କେଉଁଠି ଲିଙ୍କ ରହିଛି । ଶେଖର ଜଣେ ସଫ୍ଟୱେୟାର ଇଂଜିନିୟର । ପ୍ରଥମେ ସେ ଇନଫୋସିସ ଚଣ୍ଡିଗଡ଼ରେ ଚାକିରି କରିବା ପରେ ତୋଷିବା କମ୍ପାନୀର ମହୀଶୂର ଅଫିସ ଓ ପରେ ବେଙ୍ଗାଲୁରରେ ରହିଥିଲେ । ଖୋଳତାଡ ପରେ ସେଠାରୁ କିଛି ସୁରାକ ମିଳିଛି । ଯାହାକୁ ନେଇ ତଦନ୍ତ ଟିକେ ଆଗେଇ ଥିବା ଜଣାପଡିଛି । ଆଉ ଟିକେ ଅଧିକ ସୂଚନା ପାଇବା ପରେ ଅଟକ ରହିଥିବା ସନ୍ଦିଗ୍ଧଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସେପଟେ ଶେଖରଙ୍କ କଲ ରେକର୍ଡରୁ କିଛି ଠୋସ ସୁରାକ୍ ମିଳିଛି । ଯାହାକୁ ଆଧାର କରି ପୁଲିସ ରାଜ୍ୟ ବାହାରକୁ ଯାଇ ତନାଘନା ଚଳାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ଜଣାଇଛନ୍ତି । ଯେ କେହି ବି ପାର୍ସଲ ପଠାଇଛି ସେ ଶେଖରଙ୍କୁ ହିଁ ଟାର୍ଗେଟ କରିଥିଲା ବୋଲି ପୁଲିସ ନିଶ୍ଚିନ୍ତ ହୋଇଛି । କେବଳ ଏତିକି ନୁହେଁ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଯୁବତୀଙ୍କ କଥାକୁ ବି ଗୁରୁତର ସହ ନେଇଛି ପୁଲିସ । ତାଙ୍କ ବାୟୋଡାଟା ଏବେ ଜୋରଦାର ଖୋଜୁଛି ପୁଲିସ ।
ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ, ଛତିଶଗଡ଼ରୁ ହିଁ ଏହି ଇଲେକଟ୍ରୋନିକ୍ସ ବୋମା ଆସିଥିବା ଜଣାପଡିଛି । ଯାହାକୁ ରାୟପୁରରେ ସର୍ତକତାର ସହ ପ୍ୟାକେଟ କରାଯାଇ କୋରିୟର ସଂସ୍ଥା ଯୋଗେ ସିଧା ଶେଖରଙ୍କ ପାଖକୁ ପଠାଯାଇଛି । ପୂରା ଘଟଣା ପଛରେ ‘ପ୍ରେମ’ ହିଁ କାରଣ ଥିବା ସୂଚନା ମିଳୁଛି । ତେବେ ସତ୍ୟତା କେତେ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।