ଯାଜପୁର,(ଏଟିଆର ବ୍ୟୁରୋ): ଅନ୍ୟକୁ ସୁରକ୍ଷା ଦେଉଥିବା ଲୋକ ଆଜି ଖୋଦ ନିଜେ ଅସୁରକ୍ଷିତ । କିଏ ଅଯଥାରେ ବଦନାମ ହେଉଛି ତ’ ପୁଣି କିଏ ବିଚ ବଜାରରେ ମାଡ଼ ଖାଇ ଲହୁଲୁହାଣ ହେଉଛି । ସିଧା କହିବାକୁ ଗଲେ ଆଇନକୁ ହାତକୁ ନେବାକୁ ଏବେ ଆଦୌ ପଛଘୁଞ୍ଚା ଦେଉନାହାନ୍ତି ଲୋକେ । ଏହା ପଛର ମୁଖ୍ୟ କାରଣ ଉଚିତ୍ କାର୍ଯ୍ୟାନୁଷ୍ଠାନ ଅଭାବ । ଯାହାର ଆଉ ଏକ ନଗ୍ନ ଦୃଶ୍ୟ ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ।
ମାଡ଼ ଖାଇ ରକ୍ତାକ୍ତ ହୋଇଛନ୍ତି ଧର୍ମଶାଳା ଥାନା ଅଧିକାରୀ । ଖୋଦ ଅଭିଯୁକ୍ତ ଏକ ଲୁହାରଡରେ ମରଣାନ୍ତକ ଆକ୍ରମଣ କରିଥିବା ସୂଚନା ମିଳିଛି । ଆକ୍ରମଣରେ ଥାନା ଅଧିକାରୀ ଉମାକାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ସେପଟେ ଏହି ଘଟଣାକୁ ନେଇ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମିଳିଥିବା ରିପୋର୍ଟ ଅନୁସାରେ, ବାରବାଟି ଗାଁର ଜଣେ ଯୁବକଙ୍କ ନାଁରେ ଜାରି ହୋଇଥିଲା ୱାରେଣ୍ଟି । ତେବେ ପୁଲିସକୁ ଚକମା ଦେଇ ଫେରାର ରହୁଥିବା ଏହି ଯୁବକଙ୍କୁ ଧରିବା ଲାଗି ଧର୍ମଶାଳା ଥାନା ଅଧିକାରୀ ଆଜି ତାଙ୍କ ଟିମ ନେଇ ଅଚାନକ ବାରବାଟି ଗାଁକୁ ଯାଇଥିଲେ । ପୁଲିସକୁ ଦେଖି ଅଭିଯୁକ୍ତ ଜଣଙ୍କ ଖସି ଯିବାକୁ ଉଦ୍ୟମ କରିଥିଲା ।
ଏହାପରେ ଆରମ୍ଭ ହୋଇଥିଲା ଧସ୍ତାଧସ୍ତି । ତେବେ ଏସବୁ ଭିତରେ ଅଭିଯୁକ୍ତ ଜଣକ ଏକ ଲୁହାରଡ଼ରେ ଅଚାନକ ଥାନା ଅଧିକାରୀଙ୍କ ମୁଣ୍ଡକୁ ପିଟି ଦେଇଥିଲା । ହେଲେ ବଡ଼କଥା ହେଉଛି ମୁଣ୍ଡରୁ ଧାରଧାର ହୋଇ ରକ୍ତ ବହୁଥିଲେ ବି ଥାନା ଅଧିକାରୀ ଅଭିଯୁକ୍ତକୁ ଛାଡି ନଥିଲେ । କାବୁ କରି ଥାନାକୁ ଆଣିଥିଲେ । ଏବେ ଥାନା ଅଧିକାରୀଙ୍କ ଅବସ୍ଥା ଭଲ ଥିବା ସୂଚନା ମିଳିଛି । ସେପଟେ ଥାନା ଅଧିକାରୀଙ୍କ ଏଭଳି ସାହାସକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିଛନ୍ତି ।