ବ୍ରହ୍ମପୁର (ଏଟିଆର ବ୍ୟୁରୋ):ନକଲି ତେଲ, ଡିଜେଲ, ଚାଉଳ, ସିମେଣ୍ଟ ପରେ ଏବେ ନକଲି ନୋଟ । ଗତକାଲି କମିସନରେଟ ପୋଲିସ ର କୁଇକ ଆକ୍ସନ ଟିମ ତମାଣ୍ଡୋ ଥାନ ମହୁରା ବଜାରରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହି ଗ୍ୟାଙ୍କର ମାଷ୍ଟର ମାଇଣ୍ଡ ରାମେଶ୍ୱର ମହାରଣା ଓରଫ ରମେଶ ମଧ୍ୟ ଗିରଫ ହୋଇଥିବା ଖବର ମିଳିଛି ।
ବର୍ତ୍ତମାନ ଏହି ଠକ ଗ୍ୟାଙ୍ଗ ଠାରୁ ଜାଲ ନୋଟ ବିଷୟରେ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ବ୍ରହ୍ମପୁରରେ ଥିବା କାରଖାନାରେ ଅର୍ଡର ମୁତାବକ ଏହି ଜାଲ ନୋଟ ଛପା ଚାଲିଥିଲା । ଦିନକୁ ପ୍ରାୟ ୧୫ ଲକ୍ଷ ଟଙ୍କାର ନକଲି ନୋଟ ଛପାଯାଉଥିଲା । ଗତ କିଛି ମାସ ହେବ ଜାଲ ନୋଟ ଛପା କାମ ଚାଲିଥିଲା । ଏହି ଜାଲ ନୋଟ ପ୍ରଥମେ ଭୁବନେଶ୍ୱର ପହଂଚୁଥିଲା । ଏବଂ ପରେ ଯାଜପୁର, ଜଗତସିଂହ ପୁର, ଆନ୍ଧ୍ରକୁ ପ୍ରସାର ହେଉଥିଲା । ଏନେଇ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି ।
ତେବେ ଅଭିଯୁକ୍ତମାନଙ୍କ ଠାରୁ ୪ଲକ୍ଷ ୬୫ ହଜାର ଜାଲ ନୋଟ ସହିତ ଗୋଟିଏ କଲର ପ୍ରିଣ୍ଟର, ୨୨ଟି କ୍ୟାଟ୍ରିଜ, ୯ଟି ରବର ଷ୍ଟାମ୍ପ, ୩୨ଟି ନେଲ ପଲିସି, ୨୨ଟି ପେପର କଟର, ଓ ୫ଟି ମୋବାଇଲ ଫୋନ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ନୂଆପଡା ସାହିର ମାଷ୍ଟର ମାଇଣ୍ଡ ରାମେଶ୍ୱର ମହାରଣା ଓରଫ ରମେଶ (୪୩), ତା’ର ମୁଖ୍ୟ ସହଯୋଗୀ ବ୍ରହ୍ମପୁର ୱାର୍ଦାବାଡିର କେ.ରମେଶ( ୫୬), ଖୋର୍ଧା ଥାନା ତାପଙ୍ଗ ଟାଙ୍ଗୀ ସାହିର ପ୍ରଣମ ଭୋଇ (୧୯), ଦିଲ୍ଲୀପ ଭୋଇ (୨୩) ଓ ଖୋର୍ଦା ସଦର ଥାନା ଡାଳତୋଳାର ଶରତ ସାହୁ ।
ସୂଚନାନୁଯାୟୀ,ଗତ ୨୦୧୫ରେ ଗୋପାଳପୁର ଥାନା ପୋଲିସ ଏହି ଠକ ଗ୍ୟାଙ୍ଗ ଠାରୁ ୭.୫ ଲକ୍ଷ ଟଙ୍କା ଜାଲ ନୋଟ ଜବତ କରିଥିଲା ।