ଭୁବନେଶ୍ୱର (ଏଟିଆର ବ୍ୟୁରୋ); କିଛି ଦିନର ବିରତି ପରେ ରାଜଧାନୀରେ ପୁଣି ଫୁଟିଲା ଗୁଳି । ଯାହାକି ଏବେ ରାଜଧାନୀ ବାସୀଙ୍କୁ ଡରାଇ ଦେଇଛି । ଟଙ୍କପାଣି ରୋଡସ୍ଥିତ ଏକ କଲ୍ୟାଣ ମଣ୍ଡପରେ କାମ କରୁଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ । ଆହତ ଗାର୍ଡ ହେଲେ ଜ୍ଞାନେନ୍ଦ୍ର ମଲ୍ଲିକ । ତାଙ୍କୁ ପ୍ରଥମେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ କମିଶନରେଟ ପୋଲିସ ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ମୁତାବକ ଶନିବାର ଭୋର ୫ଟା ସମୟରେ କଲ୍ୟାଣ ମଣ୍ଡପରେ ଡ୍ୟୁଟି କରୁଥିବା ଜ୍ଞାନେନ୍ଦ୍ରଙ୍କୁ ଡାକିଥିଲେ ଏବଂ ତାଙ୍କ ମାଲିକ ଆସିଲେଣି କି ନାଇଁ ପଚାରିଥିଲେ । ସେ ମନା କରିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ପାଣି ମାଗିଥିଲେ । ଜ୍ଞାନେନ୍ଦ୍ର ସେମାନଙ୍କୁ ପାଣି ଦେଇଥିଲେ । ପରେ ସେମାନେ କହିଥିଲେ କି ତମର ପଇସା ଗଳି ପଡିଛି । ତେବେ ସେ ତଳୁ ପଇସା ଉଠାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ପିଠିକୁ ଗୁଳି ଚାଳନା କରି ଫେରାର ହୋଇ ଯାଇଥିଲେ ।
ଜ୍ଞାନେନ୍ଦ୍ର ପାଟି କରି ଚିକ୍ରାର କରିବା ପରେ ସ୍ଥାନୀୟ ଲୋକ ଦୌଡି ଆସି ତାଙ୍କୁ ଉଦ୍ଧାର କରି ମେଡିକାଲ ପଠାଇ ଦେଇଥିଲେ । ତେବେ କିଏ ଏବଂ କାହିଁକି ଏଭଳି ଗୁଳି କାଣ୍ଡ ଭିଆଇଛି ତାହା ଜଣ।। ପଡିନାହିଁ । ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ହେଲମେଣ୍ଟ ପିନ୍ଧିଥିବା ବେଳେ ଅନ୍ୟଜଣେ ମୁହଁରେ କପଡା ଭିଡିଥିଲେ ବୋଲି ଜଣା ପଡିଛି । କମିଶନରେଟ ପୋଲିସର ତଦନ୍ତ ଜାରି ।