ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଶଶାଙ୍କ ଏବେ କେଉଁଠି? କାହିଁକି ପୁଲିସ ତାଙ୍କୁ ଛାଡିଦେଲା? ଯେଉଁ ଶଶାଙ୍କ ନାମରେ ହତ୍ୟା ଭଳି ସାଙ୍ଘାତିକ ଅଭିଯୋଗ ରହିଛି ଅଚାନକ ତାକୁ ଛାଡିଦେବା ପଛରେ ରହସ୍ୟ କ’ଣ ହୋଇପାରେ? ଏହା ପଛରେ କୌଣସି ବଡ଼ ଡିଲ ହୋଇନି ତ? ମାଲେମାଲ ହୋଇଛନ୍ତି କି ଥାନା ଅଧିକାରୀ? ସବୁଠୁ ବଡ଼କଥା ହେଉଛି ଯେଉଁ ଶଶାଙ୍କ ବୟାନରେ ତାଳମେଳ ରହୁନଥିବା ଦର୍ଶାଇ ପଲିଗ୍ରାଫ ଟେଷ୍ଟ ପର୍ଯ୍ୟନ୍ତ ପୁଲିସ କଥା ନେଲା ସେହି ଶଶାଙ୍କକୁ ରାତାରାତ ଛାଡିବା ପଛରେ କାହାର ହାତ ରହିଛି? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଥିବା ବେଳେ ସେପଟେ ଜାଗୀଙ୍କ ଜୀବନ ୧୦ଲକ୍ଷ ଟଙ୍କା ବୋଲି ମଧ୍ୟ ଆଉ ଏକ ଚର୍ଚ୍ଚା ଜୋର ଧରିଛି ।
ଏ କଥା ଆମେ ନୁହେଁ ବରଂ ଲୋକେ କୁହାକୁହି ହେଉଛନ୍ତି । ଏ ହେଉଛି ଶ୍ରୀବିହାର ନିତ୍ୟପ୍ରମୋଦ ଆପାର୍ଟମେଁଟରୁ ପଡି ମହିଳାଙ୍କ ମୃତ୍ୟୁ ଘଟଣା । ମହିଳାଙ୍କୁ ହତ୍ୟା କରାଯାଇଥିବା ସିଧା ଅଭିଯୋଗ ଉଠାଇଥିଲେ ତାଙ୍କ ବାପା । ଅଭିଯୋଗକୁ ନେଇ ପୁଲିସ ୩୦୨ରେ ମାମଲା ରୁଜୁ କରିଥିବା ବେଳେ କାହିଁକି ଶଶାଙ୍କକୁ ଛାଡି ଦିଆଯାଇଛି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ? କେବଳ ଏତିକି ନୁହେଁ ଖୋଦ ଡିସିପିଙ୍କ କହିବାନୁସାରେ, ଶଶାଙ୍କର ବୟାନରେ ତାଳ ମେଳ ରହୁନାହିଁ । ଅର୍ଥାତ କିଛି ଟା କଥା ଶଶାଙ୍କ ଲୁଚାଉଛନ୍ତି । ଯାହା ପାଇଁ ତାଙ୍କ ପଲିଗ୍ରାଫ ଟେଷ୍ଟ କରାଗଲା ।
ଏଠି ପ୍ରଶ୍ନ ଯେଉଁ ସବୁ ପ୍ରଶ୍ନ ଶଶାଙ୍କ ଲୁଚାଉଛନ୍ତି ସେସବୁର ଉତ୍ତର ଥାନା ଅଧିକାରୀ ପାଇଗଲେ କି? ନା ପ୍ରମାଣ ନଷ୍ଟ କରିବାକୁ ଶଶାଙ୍କକୁ ଛଡାଯାଇଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ତେବେ ଜଣେ ଗଣ୍ଡଗୋଳ ବ୍ୟକ୍ତିଙ୍କୁ ପୁଲିସ ବେଲବଣ୍ଡରେ ଛାଡିବାକୁ କୁନ୍ଥକୁନ୍ଥ ହେଉଥିବା ବେଳେ ହତ୍ୟା ଅଭିଯୋଗ ଉଠିଥିବା ଜଣେ ବ୍ୟକ୍ତିଙ୍କ ପ୍ରତି ଥାନା ଅଧିକାରୀଙ୍କ ଏତେ ଦରଦକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଲୋକ ।
ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ରିପୋର୍ଟ କହୁଛି ଶଶାଙ୍କ କାର୍ଯ୍ୟ କରୁଥିବା ସଂସ୍ଥାର କେତେକ କର୍ମୀ ଥାନା ଅଧିକାରୀଙ୍କୁ ଭେଟିଥିଲେ । ଯେତେବେଳେ କି’ ଥାନା ଅଧିକାରୀ ଜଣେ ଏସଆଇଙ୍କୁ ଦୂରକୁ ପଠାଇଦେଇ ଏକାନ୍ତରେ ସେମାନଙ୍କ ସହ ଏକ ଗଛମୂଳେ କଥା ହୋଇଥିଲେ । ଏଠି ପ୍ରଶ୍ନ ଏକାନ୍ତରେ କ’ଣ କଥା ହୋଇଥିଲେ ଆଇଆଇସି । କାହିଁକି ଏସଆଇଙ୍କୁ ଦୂରକୁ ଯିବାକୁ କହିଲେ?
ଶୁଣିବାକୁ ମିଳୁଛି ଏହି ସମୟ ଭିତରେ ଥାନା ଅଧିକାରୀ ହିଁ ଏମିତି କିଛି ଫାଇଦା ହାସଲ କଲେ ଯାହାଦ୍ୱାରା ଶଶାଙ୍କ ପ୍ରତି ତାଙ୍କ ଦରଦ ଉଛୁଳିପଡିଲା । ଏହା ଉପରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି । ସବୁଠୁ ବଡ଼ପ୍ରଶ୍ନ କେସର ଆଇଓ ଅପେକ୍ଷା ଥାନା ଅଧିକାରୀ ଏତେଟା ସଜାଗ ରହିବା ଯଦିଓ ଭଲ କଥା କିନ୍ତୁ ଘଟଣାଠୁ ଗୋଟେ ଗୋଟେ କ୍ଷେତ୍ରରେ ଦୂରେଇ ରଖିବା ନିହାତି ସନ୍ଦେହର ଦାଗ ଲଗାଉଛି ।