କେନ୍ଦ୍ରାପଡା,(ଏଟିଆରବ୍ୟୁରୋ): ଲୋକଙ୍କ ମୃତ୍ୟୁକୁ ୫ବର୍ଷ ବିତିଗଲାଣି । ତଥାପି ସେହି ଲୋକ ସମବାୟ ସମିତିରୁ ଋଣ ନେଉଛି । ମାନେ କହିବାକୁ ଗଲେ ଭୂତ ଉଠାଉଛି ଋଣ । ବିଶ୍ୱାସ ହେଉନି ନା’ ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ରାଜକନିକା ଅଞ୍ଚଳରୁ । ଘଟଣା ସାମ୍ନାକୁ ଆସିବା ପରେ ଏବେ ଏହାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । ପୂରା ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ସେ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଭିଯୋଗ ହୋଇଛି ଏହି ଘୋଟାଲା ପଛରେ ସମବାୟ ସମିତିର ପୂର୍ବତନ ସମ୍ପାଦକଙ୍କ ହାତ ରହିଛି । ମିଳିଥିବା ରିପୋର୍ଟ ଅନୁସାରେ, ଏହି ସମୟବାୟ ସମିତିରେ ୨୨ଶହ ଚାଷୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ଶହ ଚାଷୀ ଋଣ କରିଛନ୍ତି । ପାଖାପାଖି ୪କୋଟି ଟଙ୍କା ଋଣ ଉଠାଯାଇଛି । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ଚାଷୀଙ୍କ ନାଁରେ ଋଣ ଆସିଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଏ ସମ୍ପର୍କରେ କିଛି ବି ଜାଣିନାହାନ୍ତି । କେବଳ ଏତିକି ନୁହେଁ ଯେଉଁ ଚାଷୀଙ୍କର ପୂର୍ବରୁ ମୃତ୍ୟୁ ହୋଇ ସାରିଛି ସେମାନଙ୍କ ନାଁରେ ମଧ୍ୟ ଋଣ କରାଯାଇଛି । ଏହା କିପରି ସମ୍ଭବ ବୋଲି ଏବେ ଲୋକ ପ୍ରଶ୍ନ ଉଠାଇଛନ୍ତି ।
ବଳରାମ ନାୟକ ନାମକ ଜଣେ ଚାଷୀଙ୍କ ଆଜକୁ ୫ବର୍ଷ ତଳେ ମୃତ୍ୟୁ ହୋଇଥିଲେ ମଧ୍ୟ ଋଣ ଖାତାରେ ତାଙ୍କ ନାଁ ବି ଜୋଡି ହୋଇଛି । ସେହିପରି ରାସ ବିହାରି ନାମକ ଆଉ ଜଣେ ମୃତ ଚାଷୀଙ୍କ ନାମରେ ଋଣ ଉଠାଇବା ଘଟଣା ତ’ ଏକ ବଡ଼ ଘୋଟାଲାର ସୁରାକ ଯୋଗାଉଛି । ସେପଟେ ମୃତ ଲୋକଙ୍କ ନାଁରେ ଋଣ ଉଠାଯିବା ଘଟଣାରେ ସେମାନଙ୍କ ପରିବାର ଲୋକେ ଏବେ ଚିନ୍ତାରେ । କିପରି ଟଙ୍କା ସୁଝିବେ ସେମାନଙ୍କ ମୁଣ୍ଡ କିଛି କାମ କରୁନାହିଁ । କେବଳ ମୃତକ କାହିଁକି ଆହୁରି ଅନେକ ଲୋକଙ୍କ ନାମରେ ମଧ୍ୟ ଋଣ କରାଯାଇଛି ଅଥଚ ସେମାନେ ଏ ସମ୍ପର୍କରେ କିଛି ଜାଣି ନାହାନ୍ତି ।
ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ ବର୍ଷବର୍ଷ ଧରି ଏଭଳି ଋଣ ହେରଫେର ହେଉଥିବା ବେଳେ ବିଭାଗୀୟ ଅଧିକାରୀ ଜାଣି ପାରିଲେନି କେମିତି? କାହିଁକି ଋଣ ଦେବା ସମୟରେ ଠିକ୍ ଠାକ୍ ଯାଞ୍ଚ କରାଗଲା ନାହିଁ । ଅଭିଯୋଗ ହୋଇଛି ପୂର୍ବତନ ସମ୍ପାଦକ ଏସବୁ କାରସାଦି କରିଛନ୍ତି । ତେଣୁ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକେ ଦାବି କରିଛନ୍ତି । ସେପଟେ ଏହି ଘଟଣାର ତଦନ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଅପେକ୍ଷା ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶ ପରେ ଏହି ଘୋଟାଲା ମାଷ୍ଟରମାଇଣ୍ଡ କେବେ ଧରାପଡୁଛି ।