ଭୁବନେଶ୍ୱର (ଏଟିଆର ବ୍ୟୁରୋ ) : ମନଇଚ୍ଛା ଫି ବୃଦ୍ଧି କରୁଛି ଡିଏଭି ସ୍କୁଲ । ଯିଏ ଯାହା କହିଲେ ବି ଶୁଣୁନି । ପିଲାଙ୍କ ପିଛା ଟଙ୍କା ଖର୍ଚ୍ଚ କରି କରି ତଳିତଳାନ୍ତ ହେଲେଣି ଅଭିଭାବକ । ପ୍ରତିବର୍ଷ ପ୍ରାୟ ୧୦ରୁ ୧୫ ପ୍ରତିଶତ ଫି ବୃଦ୍ଧି କରୁଛି ଡିଏଭି ସ୍କୁଲ । ଡିଏଭିର ଏମିତି ମନଇଚ୍ଛା ଫି ବୃଦ୍ଧିକୁ ଦେଖି ପିଲାଙ୍କୁ ଡିଏଭିରେ ପାଠ ପଢ଼ାଇବାକୁ ଡରିଲେଣି ଅଭିଭାବକ । ୟୁନିଟ-୮ ଡିଏଭି ପବ୍ଲିକ ସ୍କୁଲ ବିରୁଦ୍ଧରେ ଏମିତି ଅଭିଯୋଗକୁ ନେଇ ବାରମ୍ବାର କର୍ତ୍ତୁପକ୍ଷଙ୍କୁ ଜଣାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଗତ ଦୁଇ ଦିନ ଧରି ଡିଏଭିରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଛି ।
ଫି ବୃଦ୍ଧିକୁ ବିରୋଧ କରି ଗତ ଦୁଇଦିନ ଧରି ଅଭିଭାବକ ଓ ଅଧ୍ୟକ୍ଷାଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିବା ବେଳେ ଆଜି ପରିସ୍ଥିତି ଅଧିକ ଗରମ ହୋଇଥିଲା । କର୍ତ୍ତୁପକ୍ଷ ଓ ଅଭିଭାବକଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା ବେଳେ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ, ଘଟଣାସ୍ଥଳରେ ପୁଲିସ ପହଂଚି ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା ।
ସୂଚନାଯୋଗ୍ୟ, ପ୍ରତିବର୍ଷ ଶିକ୍ଷାବର୍ଷ ଆରମ୍ଭରେ ରାଜଧାନୀର ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ଫି ବୃଦ୍ଧି କରୁଛନ୍ତି । ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନନ୍ତୋଷ ଦେଖା ଦେଉଛି । କିଛି ଅଭିଭାବକଙ୍କ କହିବା କଥା, ଫି ବୃଦ୍ଧି ଦ୍ୱାରା ମଧ୍ୟବିତ ପରିବାର ଉପରେ ବୋଝ ଉପରେ ଲଳିତା ବିଡା ପଡିଯାଉଛି । ଯାହା ଫଳରେ ଉଚ୍ଚମାନର ଶିକ୍ଷା ପାଇଁ ପିଲାମାନଙ୍କୁ ଘରୋଇ ଶିକ୍ଷାନୁଷ୍ଠାନକୁ ପଠାଇବାକୁ ଭୟ ଲାଗୁଛି ।
ବିଶେଷ କରି ଏହି ସବୁ ବଡ ବଡ ଶିକ୍ଷାନୁଷ୍ଠାନ ଗୁଡିକରେ ରାଜନେତା, ଶିଳ୍ପପତି ଓ ଉଚ୍ଚ ଦରମା ପ୍ରାପ୍ତ ବରିଷ୍ଠ ଅଧିକାରୀମାନଙ୍କ ପିଲାମାନେ ପାଠ ପଢ଼ିବାକୁ ଯାଉଥିବାରୁ ଫି ବୃଦ୍ଧି ସେମାନଙ୍କ ବଜେଟ ଉପରେ କୌଣସି ପ୍ରଭାବ ପକାଉନାହିଁ । ତେବେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ସରକାରୀ ଅଙ୍କୁଶ ନରହିବା ଦ୍ୱାରା ସେମାନେ ମନମାନୀ କରୁଥିବା ଅଭିଭାବକ ମତ ପ୍ରକାଶ କରିଛନ୍ତି ।