ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି । ୨୮୩.୨୪ ଗ୍ରାମ୍ ସୁନା ଜବତ କଲା କଷ୍ଟମ୍ ବିଭାଗ । ଜବତ ସୁନାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ । ବ୍ୟାଙ୍କକରୁ ଆସିଥିବା ଯାତ୍ରୀଙ୍କଠାରୁ ସୁନା ଜବତ ହୋଇଛି । ଏୟାର ଏସିଆ ବିମାନରେ ଆସିଥିଲେ ଯାତ୍ରୀ । ଯାତ୍ରୀ ଜଣଙ୍କ ସୁନାକୁ ରିଙ୍ଗ ଭଳି କରି, ଏଥିରେ ରୁପା କୋଟେଡ କରିଥିଲେ। ଏହାପରେ ଉକ୍ତ ରିଙ୍ଗକୁ ବୋତାମରେ ଗୁଡାଇ ଆଣୁଥିଲେ। କୌଣସି ସୂତ୍ରରୁ ଖବର ପାଇ କଷ୍ଟମ ବିଭାଗ ଏହାକୁ ଜବତ କରିଛି।
ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଜଣେ ମହିଳାଙ୍କ ପାଖରୁ ପ୍ରାୟ ୧ କେଜି ଓଜନର ସୁନା ଜବତ କରାଯାଇଥିଲା। ଚୋରା ଚାଲାଣ ବେଳେ ରାଜସ୍ୱ ବିଭାଗର ଗୁଇନ୍ଦା ଅଧିକାରୀ ଏହାକୁ ଜବତ କରିଥିଲେ। ମହିଳା ଜଣଙ୍କ ତାଙ୍କ ବ୍ୟାଗରେ ୮ଟି ସୁନା ବିସ୍କୁଟ ରଖି ଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲେ। ଜବତ ସୁନା ୯୫୯ ଗ୍ରାମ୍ର ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩୩ ଲକ୍ଷ ଟଙ୍କା ହେବ ବୋଲି ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଥିଲା।
ତେବେ ଏହି ଦୁଇଟି ଘଟଣା କାହିଁକି ପୂର୍ବରୁ ମଧ୍ୟ ଏଭଳି ବହୁବାର ଯାତ୍ରୀମାନେ ସୁନା ନେଇ ଆସୁଥିବା ବେଳେ ଧରା ହୋଇଛନ୍ତି । ସବୁଠାରୁ ବଡ କଥା ହେଉଛି ଏମାନେ କିପରି ଭାବରେ ଏହା ଆଣିବା ପାଇଁ ସାହସ କରୁଛନ୍ତିି । ଏବଂ କିଭଳି ଭାବରେ ଅଭିନବ ଉପାୟ ଏମାନଙ୍କ ମନକୁ ଆସୁଛି । ସେ ଯାହା ବି ହେଉ ଏହି ସବୁ ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।