ଝାରସୁଗୁଡା (ଏଟିଆର ବ୍ୟୁରୋ) ; ଝାରସୁଗୁଡା ପୋଲିସର ବଡ ସଫଳତା । ୧୦ ଜଣ ଡକାୟତଙ୍କୁ ଗିରଫ କରିଛି । ଏହି ୧୦ ଜଣ ମଧ୍ୟରୁ ୭ ଜଣ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ଅଞ୍ଚଳ ବୋଲି ଜଣାପଡିଛି । ଏହି ଡକାୟତ ଦଳ ରାଜ୍ୟର ବଡ ବଡ ସହରରେ ବୁଲି ଲୁଟ କରୁଥିଲେ । ଏମାନେ ମୁଖ୍ୟତଃ ବ୍ୟାଙ୍କ ସମ୍ମୁଖରେ ରହି ଗ୍ରାହକମାନଙ୍କ ଗତିବିଧିକୁ ଲକ୍ଷ କରିଥାନ୍ତି ଏବଂ ଏହାପରେ ଲେକଙ୍କ ଠାରୁ ଝାମ୍ପି ନେଇଥାନ୍ତି ଟଙ୍କା । କେବଳ ଟଙ୍କା ନୁହେଁ ଏହି ଦଳ ବଡ ବଡ ଗହଣା ଦୋକାନରୁ ମଧ୍ୟ ଚୋରି କରିଥିବା ପୋଲିସ ସମ୍ମୁଖରେ ପ୍ରକାଶ କରିଛନ୍ତି । ତେବେ ଗତ କାଲି ରାତିରେ ନିର୍ମାଣାଧିନ ନୂତନ ବସଷ୍ଟାଣ୍ଡରେ ଡକାୟତମାନେ ବସି ଏକ ବଡ ଧରଣର ଡକାୟତି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ଚଢ଼ାଉ କରି ଏମାନଙ୍କୁ ଗିରଫ କରିଛି । ପୋଲିସର ଏହି ସଫଳତାକୁ ସ୍ଥାନୀୟ ଅଞ୍ଚଳରେ ପ୍ରସଶାଂ କରିଛନ୍ତି ।
ଚଢ଼ାଉ କରିବା ବେଳେ ପୋଲିସ ଏମାନଙ୍କ ନିକଟରୁ ନଗଦ ୪୪ ହଜାର ୫୬୦ ଟଙ୍କା,ଗୋଟିଏ ଦେଶୀ ବନ୍ଦୁକ,୩ଟି ଖଣ୍ଡା,୬ଟି ଲୁହାରଡ,୭ଟି ମୁଖା ସହ ୧୧ଟି ମୋବାଇଲ ଜବତ କରିଛି । ଏହି ଡକାୟତ ଦଳର ନେଟୱର୍କ ଅନ୍ୟ କେଉଁଆଡେ ଲମ୍ବିଛି ଏବଂ ଅନ୍ୟ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।