ସମ୍ବଲପୁର(ଏଟିଆର ବ୍ୟୁରୋ): ବିଶ୍ୱ ଅନୁଷ୍ଠାନର ମୁଖ୍ୟ କ୍ଷୀରୋଦ ମଲ୍ଲିକ ଓ ତାଙ୍କ ପୁଅ ଦେବବ୍ରତ ମଲ୍ଲିକଙ୍କୁ ମୁମ୍ବାଇର ଇଓଡବଲୁର ଏକ ଟିମ ଉଠାଇ ନେଇଛି । ମୁମ୍ବାଇର ଅର୍ଥନୈତିକ ଅପରାଧ ଶାଖା (ଇଓଡବଲୁ) ଶ୍ରୀ ମଲ୍ଲିକ ଓ ତାଙ୍କ ପୁଅଙ୍କୁ ସମ୍ବଳପୁର ଦାନୀପାଲି ସ୍ଥିତ ତାଙ୍କ ବାସ ଭବନରୁ ଉଠାଇ ନେଇଛନ୍ତି । ସୂଚନା ଅନୁସାରେ ପୂର୍ବରୁ ୨୦୧୪ ଅକ୍ଟୋବର ଶେଷ ସପ୍ତାହରେ କ୍ଷୀରୋଦ ମଲ୍ଲିକଙ୍କୁ ଆର୍ଥିକ ଅପରାଧ ଅଭିଯୋଗରେ ଇଓଡବଲୁ ଗିରଫ କରି କୋର୍ଟ ଚାଳଣ କରିଥିଲା । ବହୁ ଦିନ ଜେଲରେ ରହିବା ପରେ ଶ୍ରୀ ମଲ୍ଲିକ ଜାମିନରେ ମୁକୁଳି ଥିଲେ ।
ଶ୍ରୀ ମଲ୍ଲିକଙ୍କ ନାମରେ ପୂର୍ବରୁ ଥିବା ଇଓଡବଲୁ କେସ ନଂ ୪୫/୧୨ ରେ ତାଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି । ଶ୍ରୀ ମଲ୍ଲିକ ପ୍ରତିଷ୍ଠା କରିଥିବା ବିଶ୍ୱ ଏନଜିଓ ନାମରେ ବହୁ ପ୍ରକାରର କାରବାର କରୁଥିଲେ । ହେଲେ ଆବିଆଇରର ବିନା ଅନୁମତିରେ କ୍ଷୁଦ୍ର ଜମାକାରିଙ୍କ ପାଖରୁ କୋଟି କୋଟି ଟଙ୍କା ଜମା ରାଶି ସଂଗ୍ରହ କରିବା ତାଙ୍କୁ ମହଙ୍ଗା ପଡିଥିଲା । ଏନେଇ ଆରବିଆଇ ପକ୍ଷରୁ ୨୦୧୨ରେ ଇଓଡବଲୁରେ ମାମଲା ରୁଜୁ କରାଯାଇଥିଲା । ଏହା ପରେ ୨୦୧୪ରେ ଇଓଡବଲୁ ପକ୍ଷରୁ ଶ୍ରୀ ମଲ୍ଲକଙ୍କୁ ଗିରଫ କରାଯାଇଥିଲା । ଏହା ବ୍ୟତୀତ ଶ୍ରୀ ମଲ୍ଲିକ ପ୍ରତିଷ୍ଠା କରିଥିବା ବିଶ୍ୱ ବିରୋଧରେ ବିଭିନ୍ନ ଜିଲ୍ଲାରେ ଆର୍ଥିକ ଅନିୟମିତତାର ଅଭିଯୋଗ ରହିଛି ।