ଭୁବନେଶ୍ୱର,(ଏଟିଆରବ୍ୟୁରୋ): ନିଶା କାରବାର ରୋକିବାକୁ ଏବେ ଆକ୍ସନ ମୁଡରେ ଲକ୍ଷ୍ମୀସାଗର ଥାନା ପୁଲିସ । ଚାଲିଛି ଗଳିକନ୍ଦି ରେଡ୍ । କେବଳ ଗଳିକନ୍ଦି ତ’ ନୁହେଁ ବରଂ ଏଥିରୁ ନିସ୍ତାର ପାଇନି ଭୁବନେଶ୍ୱରର ଏକ ନାମୀଦାମୀ ହୋଟେଲ । ପୁଲିସ ରେକର୍ଡ କହୁଛି ହୋଟେଲ ପୁଷ୍ପକ ଉପରେ ମଧ୍ୟ ପୂର୍ବରୁ ଛାପା ମରାଯାଇଛି । ଯେଉଁ ଛାପାରେ ବ୍ରାଉନସୁଗାର ସମେତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ସେହିପରି ଗତକାଲି ଅର୍ଥାତ ଶନିବାର ରାତିରେ ମଧ୍ୟ ଲକ୍ଷ୍ମୀସାଗର ଥାନା ପୁଲିସ ଷ୍ଟେସନବଜାର ପାଖ ପ୍ରଧାନସାହିରେ ଚଢ଼ାଉ କରିଛି । ଚଢ଼ାଉରେ ରାଜୁ ରେଡ୍ଡୀ ନାମକ ଜଣେ ମଦ ବ୍ୟବସାୟୀକୁ ଗିରଫ କରାଯାଇଥିବା ବେଳେ ତା’ ପାଖରୁ ଭେରାଇଟି ବ୍ରାଣ୍ଡର ୧୨୯ଟି ମଦ ଜବତ କରାଯାଇଛି ।
ଦୀର୍ଘଦିନ ହେବ ରାଜୁ ସ୍ଥାନୀୟ ଅଞ୍ଚଳରେ ରାତିରେ ଚୋରା ମଦ କାରବାର କରୁଥିଲା । ଯାହାପାଇଁ ମଦୁଆଙ୍କ ଭିଡ଼ ଜମିବା ସହ ସ୍ଥାନୀୟ ଅଞ୍ଚଳରେ ହରଦମ ଅପ୍ରୀତିକର ପରିସ୍ଥିତି ଉପୁଜୁଥିଲା । ତେବେ ଏନେଇ ସୂଚନା ମିଳିବା ପରେ ପୁଲିସ ଅପରେସନ ରାଜୁ ଆରମ୍ଭ କରିଥିଲା । ରାତି ଅଧରେ ଅଚାନକ ଚଢ଼ାଉ କରି ତାକୁ ଗିରଫ କରାଯାଇଛି । ସେପଟେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚୋରା ନିଶା ପେଣ୍ଠସ୍ଥଳୀ କୁହାଯାଉଥିବା ହଳଦୀପଡିଆ ବସ୍ତିକୁ ତ’ ଏବେ ଛାରଖାର କରି ଦେଇଛି ଲକ୍ଷ୍ମୀସାଗର ଥାନା ପୁଲିସ । ଯାହାପାଇଁ ସ୍ଥାନୀୟ ବାସିନ୍ଦା ଏବେ ଟିକେ ଶାନ୍ତିରେ ନିଶ୍ୱାସ ମାରିଛନ୍ତି ।
କାରଣ ଚୋରା ବ୍ରାଉନସୁଗାରର ପେଣ୍ଠସ୍ଥଳୀ ଥିଲା ଏହି ହଳଦୀପଡିଆ ବସ୍ତି । ଏଠାରୁ ହିଁ ପୂରା ସହର ଭିତରକୁ ଚାଲାଣ ହେଉଥିଲା ଧଳା ଜହର । ଖବର ପୁଲିସ ପାଖରେ ପହଞ୍ଚିବା ପରେ ଏହା ଉପରେ ରୋକ ଲଗାଇବାକୁ ଆରମ୍ଭ ହୋଇଥିଲା ବ୍ଲୁପ୍ରିଣ୍ଟ । ଲଗାତାର ଚଢ଼ାଉ ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏବେ ବସ୍ତିରେ ଥିବା ନିଶାଡିଆଙ୍କ ଘର ଉପରେ ବୋଲ୍ଡଜର ବୁଲାଇଥିଲା । ବାସ ଏହାପରେ ଏବେ ଶାନ୍ତ ରହିଛି ହଳଦୀପଡିଆ ବସ୍ତି । ପୁଲିସର ଏଭଳି ପଦକ୍ଷେପକୁ ଏବେ ଅଞ୍ଚଳବାସୀ ସ୍ୱାଗତ ଜଣାଇଛନ୍ତି । ଆଗକୁ ଏହି ଡ୍ରାଇଭ ଜାରି ରଖିବାକୁ ସେମାନେ ଅନୁରୋଧ କରିଛନ୍ତି ।