ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ପାଖାପାଖି ୧କୋଟିରୁୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ସଂସ୍ଥାର ମାଲିକକୁ ଗିରଫ କରିଛି ପୁଲିସ । ଏଭଳି ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଁଚଳରେ । ସାଇନ ଗ୍ରୁପ ଅଫ କମ୍ପାନୀ ପ୍ରାଇଭେଟ ଲିମିଟେଡ ନାମକ ସଂସ୍ଥା ଏହି ଠକେଇ କରିଥିବା ଅଭିଯୋଗ ହୋଇଛି । ଏହାର ଏମଡି ସଞ୍ଜୟ ଜେନାକୁ ଗିରଫ କରାଯାଇଛି । ତା’ ଘର କେନ୍ଦ୍ରାପଡା ପାଟକୁରା ବୋଲି ପୁଲିସ କହିଛି । ସେ ନୂଆପଲ୍ଲୀ ଥାନା ଏନ-୬, ପ୍ଲଟ ନମ୍ବର ୬୩୨ରେ ରହୁଥିଲେ ।
ସୁଭାଶିଷ ତ୍ରିପାଠୀ ନାମକ ଜଣେ ଯୁବକ ଠକେଇର ଶିକାର ହୋଇଥିଲେ । ସେ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । କେବଳ ସୁଭାଷିଷ ନୁହନ୍ତି ତାଙ୍କପରି ୩୦ରୁ ଅଧିକ ଯୁବକ ଯୁବତୀ ଠକାମୀର ଶିକାର ହୋଇଥିବା ଏବେ ଜଣାପଡିଛି । ସୁଭାଶିଷଙ୍କଠାରୁ ୨୦୧୭ ସେପ୍ଟେମ୍ବର ୫ ତାରିଖରେ ସଞ୍ଜୟ ୧ଲକ୍ଷ ୯୦ ହଜାର ଟଙ୍କା ନେଇଥିଲେ । ସେହିଭଳି କଟକ ଜିଲ୍ଲା ଚୋ÷ଦ୍ୱାରର ନିକୁଞ୍ଜ କିଶୋର ବେହେରା ନାମକ ଜଣେ ଯୁବକଙ୍କୁ ୧ ଲକ୍ଷ ୭୦ ହଜାର ଟଙ୍କା ମଧ୍ୟ ଚୁନ ଲଗାଇଥିବା ପୁଲିସ ଜାଣିବାକୁ ପାଇଛି । ତେବେ ଟଙ୍କା ନେବା ପରେ ସଞ୍ଜୟ ଆଉ ଧରାଛୁଆଁ ଦେଇନଥିଲେ । ଆଜି କାଲି କହି ଦିନ ପରେ ଦିନ ଗଡାଇ ଚାଲିଥିଲେ । ଶେଷରେ ନିରାଶ ହୋଇ ଯୁବକମାନେ ପୁଲିସକୁ ଜଣାଇଥିଲେ ।