ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାତି ଅଧରେ ଜେସିବି ଲଗାଇ ହୋଟେଲ ଭାଙ୍ଗିଲେ ଦୁର୍ବୃତ । ଏତିକି ନୁହେଁ ବନ୍ଧୁକ ଦେଖାଇ ଭୟଭିତ କରାଇବା ସହ ପୂରା ହୋଟେଲକୁ ଛାରଖାର କରିଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ଏବେ ପୁଲିସ ଘଟଣାର ଖୋଳତାଡ କରୁଛି । ଘଟଣା ଘଟିଛି ନୟାପଲ୍ଲୀ ଥାନା ଆଇଆରସି ଭିଲେଜରେ । ତେବେ ଏଟିଆର ଅନୁସନ୍ଧାନ କହୁଛି ଜାଗାବାଡିକୁ ନେଇ ପୂରା ଘଟଣା ଘଟିଛି ।
ହୋଟେଲ ମାଲିକ ପପୁଙ୍କ ଅଭିଯୋଗ ଅନୁସାରେ, ପ୍ଲଟ ନମ୍ବର- ୫୦୩/୫୦୦ରେ ରହିଛି କ୍ରିର୍ଷ୍ଣା ହୋଟେଲ । ଗତକାଲି ବିଳମ୍ବିତ ରାତିରେ ଅଚାନକ କେତେକ ଦୁର୍ବୃତ ସେଠାରେ ପହଁଚି ହୋଟେଲ କର୍ମଚାରୀଙ୍କୁ ଭୟଭିତ କରାଇଥିଲେ । ସେମାନଙ୍କ ହାତରେ ବନ୍ଧୁକ ଥିବା ଅଭିଯୋଗରେ ଦର୍ଶାଯାଇଛି । ଏହାପରେ ସେମାନେ ଜେସିବି ଲଗାଇ ପୂରା ହୋଟେଲକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।
ସେପେଟ ଏନେଇ ପୁଲିସକୁ ପଚାରିବାରୁ ଜାଗାବାଡିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଢ଼େରଦିନ ହେଲା ଛକାପଞ୍ଝା ଲାଗି ରହିଥିଲା । ଏତିକି ନୁହେଁ ହୋଟେଲ କ୍ରିର୍ଷ୍ଣା ମାଲିକ ଅନ୍ୟ ଜଣଙ୍କ ଜାଗାରେ ହୋଟେଲ କରି ଦୀର୍ଘଦିନ ହେବ ଛାଡୁନଥିବାରୁ ଏହାକୁ ନେଇ ପୂର୍ବରୁ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । ତେବେ ଜାଗା ମାଲିକ ଏନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ସମସ୍ତ ପ୍ରମାଣ ପାଇଥିବା ସୂଚନା ମିଳିଛି । ତେଣୁ ଏଭଳି ଘଟଣା ଘଟିଥାଇପାରେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।