ଭଞ୍ଜନଗର (ଏଟିଆର ବ୍ୟୁରୋ) ; ଟଙ୍କା ମଣିଷକୁ ଅନ୍ଧ କରିଦିଏ । ଏହି ଟଙ୍କା ପାଇଁ ମଣିଷ ବହୁ ଘୃଣ୍ୟ କାମ କରିଥାଏ । ଅଧିକ ଧନ ଲୋଭରେ ମଣିଷ ମାରିବା ପାଇଁ ମଧ୍ୟ ପଛାଇନଥାଏ । ତେବେ ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଲୁଣିଢ଼ିପି ଗାଁରେ । କେହି ଦୁର୍ବୃତ୍ତ ଟଙ୍କା ଲୁଟ କରିବାକୁ ଯାଇ କବାଡି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ଜଣକ ହେଲେ ବାଳକୃଷ୍ଣ । ତାଙ୍କ ଘର ଚମ୍ପେତପୁରରେ । ସୂଚନା ମୁତାକବ ଲୁଣିଢ଼ିପି ଗାଁର ମୁଖ୍ୟ ରାସ୍ତାରେ ରକ୍ତ ଜୁଡବୁଡୁ ଅବସ୍ଥାରେ ମୃତ ଦେହଟି ପଡିଥିଲା । ତେବେ କେହି ଦୁର୍ବୃତ୍ତ ହତ୍ୟା କରିବା ପରେ ସେଠାରେ ପକେଇ ଦେଇ ଚାଲିଯାଇଛି । ତେବେ ଗାଁ ଲୋକ ଏହି ମୃତ ଦେହ ଦେଖିବା ପରେ କୋଳାହଳ ସୃଷ୍ଟି ହୋଇଥିଲା । ତେବେ ଏହି ସମ୍ପର୍କରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଥିଲା ।
ମୃତକଙ୍କ ମୁଣ୍ଡ ଏବଂ ମୁହଁରେ ଶକ୍ତ ଆଘାତ ଲାଗିଛି । ବାଳକୃଷ୍ଣଙ୍କୁ କେହି ହାତୁଡିରେ ପିଟିପିଟି ମାରିବା ପରେ ତାଙ୍କ ପାଖରେ ଥିବା ଟଙ୍କା ଲୁଟ କରିନେଇଛି । କାରଣ ଘଟଣାସ୍ଥଳରେ ଏକ ହାତୁଡି ପଡିଥିବା ପୋଲିସ ଦେଖିବାକୁ ପାଇଥିଲା । ଯାହାକୁ ଜବତ କରିଛି ପୋଲିସ । କିନ୍ତୁ କିଏ ଏବଂ କାହିଁକି ହତ୍ୟା କରିଛି ତାହା ଜାଣିପାରି ନାହିଁ ପୋଲିସ । ଘଟଣାର ସତ୍ୟାସତ୍ୟ ପାଇଁ ପୋଲିସ ତନାଘନା ଆରମ୍ଭ କରିବା ସହ ତଦନ୍ତ ଜାରି କରିଛି । ତେବେ ଯଥାଶିଘ୍ର ଅପରାଧୀକୁ ଧରିବା ସହ ଆଇନ ଅନୁଯାୟୀ କଠୋର ଦଣ୍ଡ ବିଧାନ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।