ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଶେଷରେ ସାମ୍ନାକୁ ଆସିଲା ସାଂଘାତିକ ସତ । ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ୱାମୀ ଲିପନ ହିଁ ଦାୟୀ । ଘଟଣାଦିନ ଲିପନ ଓ ନିକିତାଙ୍କ ମଧ୍ୟରେ ହୋଇଥିଲା ବଚସା । ରାଗ ରାଗରେ ଲିପନ ନିକିତାଙ୍କୁ ଧକ୍କା ଦେଇଥିଲେ । ଫଳରେ ଛାତରୁ ଖସିପଡିଥିଲେ ନିକିତା । ମୁଣ୍ଡରେ ଗଭୀର ଆଘାତ ଲାଗିବା ଯୋଗୁ ମୃତ୍ୟୁ ହୋଇଥିଲା ନିକିତାଙ୍କର । ଆଜି ଏହି ଘଟଣାର ପର୍ଦ୍ଦାଫାସ କରିଛି କଟକ ଚାଉଳିଆଗଂଜ ଥାନା ପୁଲିସ । ସ୍ୱାମୀ ଲିପନକୁ ଗିରଫ କରାଯାଇଛି ।
ସେପଟେ ଲିପନଙ୍କ ବାପା ଓ ମାଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଛି । ଉଭୟଙ୍କ ନାମରେ ଘରୋଇ ହିଂସା ମାମଲା ରୁଜୁ ହୋଇଥିବା କଟକ ଡିସିପି ଅଖିଳେଶ୍ୱର ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରିପୋର୍ଟ ଅନୁସାରେ, ୩ଦିନ ତଳେ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ହୋଇଥିଲା । ଘଟଣାଦିନ ଯଦିଓ ଏତେଟା କଥା ସାମ୍ନାକୁ ଆସିନଥିଲା କିନ୍ତୁ ପରବର୍ତ୍ତୀ ସମୟରେ ନିକିତାଙ୍କ ବାପା ଆଣିଥିବା ଅଭିଯୋଗ ପୂରା ଘଟଣାର ମୋଡ ବଦଳାଇ ଦେଇଥିଲା । ପ୍ରେମ ବିବାହ କରିଥିବା ନିକିତାଙ୍କର ବାହାଘରର ୭ମାସ ପରେ ଦେଖାଦେଇଥିଲା ପାରିବାରିକ ଅସନ୍ତୋଷ । ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା ।
ତେଣୁ ନିକିତା ଶାଶୁଘରୁ ପଳାଇ ଆସି ବାପଘରେ ରହୁଥିଲେ । ଘଟଣାଦିନ ଛାତ ଉପରେ ଲିପନ ଓ ନିକିତାଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା । ଯେଉଁଥିରେ ଉତ୍ତ୍ୟକ୍ତ ହୋଇ ଲିପନ ହିତାହିତ ଜ୍ଞାନ ଭୁଲି ନିକିତାଙ୍କୁ ଧକ୍କା ମାରିଥିଲେ । ଆଉ ଧକ୍କା ଯୋଗୁ ଛାତରୁ ଖସିପଡିଥିଲେ ନିକିତା । ଏ କଥାକୁ ଖୋଦ ଲିପନ ହିଁ ପୁଲିସ ଆଗରେ ସ୍ୱୀକାର କରିଛନ୍ତି ।