ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଯାହା ସନ୍ଦେହ କରାଯାଉଥିଲା ଠିକ ସେମିତି କିଛି ଘଟଣା ରହିଛି । ପ୍ରେମ ଲାଗି ପୂରା କାଣ୍ଡ ଘଟିଛି । ଏ ହେଉଛି ପାଟଣାଗଡ଼ ପାର୍ସଲ ବୋମା ଘଟଣା । ପ୍ରତେକ୍ଷ୍ୟରେ ନହେଲେ ବି ପରୋକ୍ଷରେ ଏହି ସୂଚନା ଦେଇଛନ୍ତି ଜଣେ ବରିଷ୍ଠ ପୁଲିସ ଅଧିକାରୀ । ପୂରା ଘଟଣା ପ୍ରେମରୁ ପ୍ରତିଶୋଧର ରୂପ ନେଇଥିବା ସେ ପ୍ରକାଶ କରିଛନ୍ତି ।
ସେପଟେ କ୍ରାଇମବ୍ରାଁଚର ୪ ଜଣିଆ ଏସଆଇଟିକୁ ବଲାଙ୍ଗିର ପୁଲିସ ମାମଲା ସମ୍ପର୍କିତ ସମସ୍ତ ଦସ୍ତାବିଜ ପ୍ରଦାନ କରିଛି । କିନ୍ତୁ ଘଟଣା ପଛରେ ଥିବା ମୋଟିଭ ଏବେ ସ୍ପଷ୍ଟ ହୋଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଆଉ ୧୫ଦିନ ଭିତରେ ପୂରା କଥା ଜଣାପଡିବ ବୋଲି ସେ ଆଶା ରଖିଛନ୍ତି । ଘଟଣାର ପଛର ମୋଟିଭ ଜାଣିବାକୁ ପୁଲିସକୁ ବେଶ ନାକେଦମ ହେବାକୁ ପଡ଼ିଛି । କିନ୍ତୁ ମୃତ ସୌମ୍ୟଶେଖରଙ୍କ ୩ଟି ସୋଶାଲ ମିଡିଆ ଆକାଉଁଟ ତଥ୍ୟରୁ ପ୍ରେମ ସମ୍ପର୍କ ହିଁ ମୁଖ୍ୟ କାରଣ ବୋଲି ସୁରାକ ମିଳିଥିବା ବରିଷ୍ଠ ପୁଲିସ ଅଧିକାରୀ ଜଣକ କହିଛନ୍ତି । ପ୍ରତାରଣାର ପ୍ରତିଶୋଧ ହେଉଛି ପାର୍ସଲ ବୋମା ବିସ୍ଫୋରଣ ଭଳି ଜଘନ୍ୟ ପଦକ୍ଷେପ ।
ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ସୌମ୍ୟଙ୍କୁ ଅନେକ ଥର ହତ୍ୟା ଧମକ ଦିଆଯାଇଥିଲା । ସିଧା କହିବାକୁ ଗଲେ ସୌମ୍ୟଙ୍କ ବାହାଘରକୁ ଭାଙ୍ଗିବା ଥିଲା ଟାର୍ଗେଟ । ହେଲେ ସଫଳ ନହେବାରୁ ପାର୍ସଲ ବୋମା ପଠାଇବା ଏକମାତ୍ର ଉଦ୍ଦେଶ୍ୟ ବୋଲି ପୁଲିସ ଜାଣିବାକୁ ପାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଘଟଣା ପଛରେ ୨ଜଣଙ୍କ ସମ୍ପୃକ୍ତି ରହିଥିବାର ଠୋସ ସୁରାକ ମିଳିଛି । ଖାସ ସେମାନଙ୍କୁ ଧରିବା ଲାଗି ୨ଟି ଟିମ ରାୟପୁରରେ ମାସେ ହେଲା ତଦନ୍ତ ଜାରି ରଖିଥିବା ବେଳେ ଏବେ କ୍ରାଇମବ୍ରାଁଚ ମାମଲାର ତଦନ୍ତ ଭାର ନେବା ଯୋଗୁ ଟିମ ଫେରି ଆସିଥିବା ସୂଚନା ଦେଇଛନ୍ତି ବରିଷ୍ଠ ଅଧିକାରୀ ଜଣକ ।
ବିବାହର ମାତ୍ର ୧ ମାସ ବ୍ୟବଧାନରେ ସୌମ୍ୟଙ୍କ ଫେସବୁକ, ହ୍ୱାଟସଆପ, ଇନଷ୍ଟାଗ୍ରାମ ସବୁଥିରୁ ଡାଟା ଡିଲିଟ୍ ହୋଇଛି । ତାଙ୍କ ସହ ଲିଙ୍କରେ ଥିବା ଏକାଧିକ ବାନ୍ଧବୀଙ୍କ ସମ୍ପର୍କରେ ଯେଉଁ ତଥ୍ୟ ମିଳିଛି ତାହା ଆଶ୍ଚର୍ଯ୍ୟଜନକ ବୋଲି ଖୋଦ ପୁଲିସ ସ୍ୱୀକାର କରିଛି । ଲିଙ୍କ୍ରେ ଥିବା ତାଙ୍କର ସମସ୍ତ ବାନ୍ଧବୀଙ୍କ ମଧ୍ୟରୁ ଅଭିଯୁକ୍ତଙ୍କୁ ଖୋଜିବା ବଡ଼ ଚ୍ୟାଲେଞ୍ଜ ହୋଇଛି ପୁଲିସ ଲାଗି । କିନ୍ତୁ ମାମଲାର ସମ୍ପର୍କିତ ଅନେକ ଚିତ୍ର କ୍ରମଶଃ ସ୍ପଷ୍ଟ ହୋଇ ଆସୁଛି ଓ ରାୟପୁରରେ ହିଁ ସମସ୍ତ ରହସ୍ୟ ରହିଛି ବୋଲି ବରିଷ୍ଠ ପୁଲିସ ଅଧିକାରୀ ଜଣକ ପରୋକ୍ଷ ସୂଚନା ଦେଇଛନ୍ତି ।
ସେପଟେ କ୍ରାଇମବ୍ରାଁଚର ସାଇବର ଟିମ ପୁଣି ଏ ସମ୍ପର୍କରେ ଖୋଳତାଡ ଆରମ୍ଭ କରିଛି । ଅତିରିକ୍ତ ଏସପି ଅନୀଲ କୁମାର ଦାସଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ କରିଥିବା ଏସ୍ଆଇଟି ତଦନ୍ତ ଅଗ୍ରଗତି ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଛି ।