ଅନୁଗୁଳ ( ଏଟିଆର ବ୍ୟୁରୋ): ପୁଲିସ ମାଡରେ ଚାଲିଗଲା ଜୀବନ ! ନ୍ୟାୟ ଅପେକ୍ଷାରେ ପରିବାର । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ କଣିଆ ଥାନାରେ । ସ୍ୱାମ ସ୍ତ୍ରୀ ମଧ୍ୟରେ ହୋଇଥିବା କଳିକୁ ନେଇ ଥାନାକୁ ଯାଇଥିବା ବେଳେ ଥାନାରେ ଘଟିଛି ଏମିତି ଘଟଣା । ମୃତକଙ୍କ ନାମ ଦୀପକ ବାରିକ ବୋଲି ଜଣାପଡିଛି । ସୂଚନାଅନୁସାରେ ଦୀପକ ବାରିକ ଓ ତାଙ୍କ ସ୍ତ୍ରୀଙ୍କ ପାରିବାରିକ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ କଳି ହୋଇଥିଲା । କଳି ତୀବ୍ର ହେବାରୁ ଉଭୟ ସ୍ୱାମୀ ସ୍ତ୍ରୀ କଣିଆ ଥାନାର ଦ୍ୱ।ରସ୍ଥ ହୋଇଥିଲେ ।
ସେଠାରେ କୌଣସି କାରଣ ନେଇ ଜଣେ ପୁଲିସ ଅଧିକାରୀ ଦୀପକ ବାରିକ ପୁଲିସିଆ ଢାଞ୍ଚାରେ ମାଡ ମାରିଥିଲେ । ଯେଉଁ ମାଡରେ ଦୀପକ ବାରିକ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପରିବାରର କହିବା କଥା ସେଠାରେ ଦୀପକ ବାରିକ ମାଡରେ ଅସୁସ୍ଥ ହୋଇ ପଡିବାରୁ ସେଠାରୁ ତାଙ୍କୁ କଣିଆ ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ସେଠାରୁ ତାଙ୍କୁ ଅନୁଗୁଳ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।
ଅନୁଗୁଳରେ ଡାକ୍ତର ଦୀପକ ବାରିକଙ୍କୁ ମୃତ ଘୋଷଣା କରିଛନ୍ତି । ସେଠାରୁ ତାଙ୍କ ମୃତ ଦେହକୁ ଶବ ବ୍ୟବଛେଦ ପାଇଁ ପଠା ଯାଇଥିବା ବେଳେ ଶବ ବ୍ୟବଛେଦରେ ବିଳମ୍ବ ହେଉଥିବାରୁ ମୃତକଙ୍କ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପୋଲିସର ଏହି ଅମାନବୀୟ ଘଟଣାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।