କଟକ(ଏଟିଆର ବ୍ୟୁରୋ): ଆସନ୍ତା କାଲି ଦୀପାବଳୀ । ଏଥି ପାଇଁ ରଜ୍ୟ ସରକାର ଓ କମିସନରେଟ ପୋଲିସ ପକ୍ଷରୁ ବାଣ ଫୁଟାଇବା ଠାରୁ ଆରମ୍ଭ କରି ବାଣ ବିକ୍ରି କରିବା ପାଇଁ କଟକଣା ଜାରି କରିଛନ୍ତି । ତେବେ ଏହାକୁ ନେଇ କମିସନରେଟ ପୋଲିସ ପକ୍ଷରୁ ବିଭିନ୍ନ ଜାଗାରେ ଚଢାଉ କରାଯାଉଛି । ଆଜି ସକାଳେ ଜଗତପୁର ପୋଲିସ ପଦ୍ମପୁର, ତ୍ରିଲୋଚନପୁର ଓ କାଜି ବଜାର ଥିବା ବେଆଇନ ବାଣ ଗୋଦାମ ଉପରେ ଚଢାଉ କରିଛି । ଏହି ଜାଗା ମାନଙ୍କରେ ବେଆଇନ ଭାବେ ବାଣ ଗୋଦାମ ଥିବାର ପୋଲିସ ଖବର ପାଇଥିଲା । ତେବେ ପୋଲିସ ଆଜି ସକାଳୁ ଏହି ଜାଗା ମାନଙ୍କରେ ଚଢାଉ କରି ବିପୁଳ ମାତ୍ରାରେ ବାଣ ଜବତ କରିଛି ।
ଚଢାଉ ବେଳେ ୩ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ଲକ୍ଷ୍ମୀଧର ରାଉତ, କୈଳାସ ସାମଲ ଓ ଡ୍ରାଇଭର ଦୀପକ ରାଉତ । ଚଢାଉ ସମୟରେ ପାଖାପାଖି ୫ଲକ୍ଷ ଟଙ୍କାର ବାଣ, ୯ କେ.ଜି ଗନ ପାଉଡର, ୪ କେ.ଜି ପଟାସ ଓ ବାଣ ତିଆରି କରିବା ପାଇଁ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଜଗତପୁର ତାନା ଅନ୍ତର୍ଗତ ତ୍ରିଲୋଚନପୁର ଓ ମହାଜନପୁର ଗାଁରେ ପୋଲିସ ଚଢାଉ କରି ପାଖାପାଖି ୫୦ଲକ୍ଷ ଟଙ୍କାର ବାଣ ଜବତ କରିଥିଲା ପୋଲିସ ।