ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ୨୪ଘଣ୍ଟା ସଜାଗ ରହିଛନ୍ତି କର୍ମୀ । ଚାରିଆଡେ ସିସିଟିଭି କ୍ୟାମେରା । ତୁହାକୁ ତୁହା ପୁଣି ଯାଞ୍ଚ । ସବୁବେଳେ ଗଣମାଧ୍ୟମରେ ଏମିତି କହି ବାହାବାଃ ମାରୁଥିବା ରୁଚିକା ଚାଇଲ୍ଡ ଲାଇନର ବାସ୍ତବତା ଆଜି ପଦାକୁ ଆସିଛି । ଏସବୁ କେବଳ ଭାଣ୍ଡାମି ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । କାରଣ ଜଣେ କି’ ଦୁଇଜଣ ନୁହଁ ମୋଟ ୫ଜଣ ପିଲା କ୍ୟାମ୍ପରୁ ଖସି ପଳାଇଛନ୍ତି ।
ତେବେ କାହିଁକି ଓ କେଉଁଥି ପାଇଁ ପିଲାମାନେ ପଳାଇଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ଘଟଣାକୁ ନେଇ ଏବେ ଆରମ୍ଭ ହୋଇଛି ତନାଘନା । ଅଭିଯୋଗ ପାଇବା ପରେ ଲିଙ୍ଗରାଜ ଥାନା ପୁଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ବାର୍ଥରୁମ ଝରକା ଭାଙ୍ଗି ପିଲାମାନେ ପଳାଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ, ଗତକାଲି ରାତିରେ ଏହି ଘଟଣା ଘଟିଛି । ତେବେ ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ କାହିଁକି ପିଲାମାନେ ପଳାଇଲେ? ଭିତରେ ଦିଆଯାଉଥିଲା କି’ କୌଣସି ନିର୍ଯାତନା? ଏମିତି ଏକାଧିକ ପ୍ରଶ୍ନ ଉଠୁଥିବା ବେଳେ ତଦନ୍ତ ପରେ ସତ କଣ ଜଣାପଡିବ ବୋଲି ପୁଲିସ କହିଛି ।