ଭୁବନେଶ୍ୱର,୧୮ା୨(ବ୍ୟୁରୋ): ଯାହାଙ୍କର ଅଭିଜ୍ଞତା ଥିବ, ଆଉ ପାରଦର୍ଶିତା ମଧ୍ୟ । ତାଙ୍କୁ ଦାୟିତ୍ୱ ଦିଆଗଲେ ଭଲ । ଏହା ଚିନ୍ତା କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅନୁରୋଧ କରାଯାଇଥିଲା । ହେଲେ ଅମଙ୍ଗ ହେଲେ ବରିଷ୍ଠ ଅଧିକାରୀ । ଦାୟିତ୍ୱ ମୁଣ୍ଡାଇବାକୁ ରୋକଠୋକ ମନା କରିଦେଲେ । ତେଣୁ ବାଧ୍ୟ ହୋଇ ଏବେ ଜଣେ ଆଇଜି ପାହ୍ୟା ଅଫିସରଙ୍କୁ ଏଥିରେ ସାମିଲ କରାଯାଇଛି ।
ନାଁ ଚୁଡାନ୍ତ ହୋଇନଥିଲେ ବି ହାଇକୋର୍ଟଙ୍କୁ କେତେକ ବରିଷ୍ଠ ପୁଲିସ ଅଧିକାରୀଙ୍କ ତାଲିକା ପଠାଯାଇଥିବା ଜଣାପଡିଛି । ଏ ହେଉଛି କୁନ୍ଦୁଲି ଘଟଣାର ତଦନ୍ତ କରିବା ଲାଗି ଗଠନ ହେବାକୁ ଥିବା ଏସଆଇଟି ଟିମ୍ ବିଷୟ । ଯାହା ଏବେ ହାଇକୋର୍ଟଙ୍କ ପାଖରେ ଅଟକିଛି । ଏସଆଇଟି ଗଠନର ରୂପରେଖ କ’ଣ ହେବ ତାହା କୋର୍ଟ ନିର୍ଣ୍ଣୟ କରିବେ । କିନ୍ତୁ କେଉଁ ଆଇପିଏସ ଅଫିସର ଏହି ଦାୟିତ୍ୱ ମୁଣ୍ଡାଇବେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି କାହିଁକି ମନାକଲେ ବରିଷ୍ଠ ଅଧିକାରୀ? ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ସେପଟେ କୁନ୍ଦୁଲି ଘଟଣାକୁ ନେଇ ୪ ଜନସ୍ୱାର୍ଥ ମାମଲା ସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ପୀଡିତାଙ୍କ ଭାଇ ଦ୍ୱାରା କରାଯାଇଥିବା ଆବେଦନ ଶୁଣାଣି ମଧ୍ୟ ହାଇକୋର୍ଟ କରିବେ । ଆସନ୍ତା ୧୯ରେ ଏହାର ଶୁଣାଣି ହେବ ବୋଲି ଆଭାସ ମିଳିଛି । ଏହାସହ ଏସଆଇଟି ଗଠନ ନେଇ ମଧ୍ୟ ନିଷ୍ପତି ହେବାର ସମ୍ଭାବନା ରହିଛି । ସେପଟେ ‘ଏସଆଇଟି ଗଠନ ନେଇ ସରକାର ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି । ଯେହେତୁ ୫ଟି ମାମଲାର ଶୁଣାଣି ରହିଛି ସେ ଦୃଷ୍ଟିରୁ ଆବଶ୍ୟକତା ଅନୁଭବ କଲେ ହାଇକୋର୍ଟ ଏସଆଇଟି ଗଠନ କରିପାରନ୍ତି ନଚେତ ନାହିଁ’ । ଏହି ସୂଚନା ଦେଇଛନ୍ତି ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ର ।
ସୂଚନାଯୋଗ୍ୟ, ପୂର୍ବରୁ କ୍ରାଇମବ୍ରାଂଚ ହାଇକୋର୍ଟରେ ସତ୍ୟପାଠ ସହ ମେଡିକାଲ ଓ ପରେନ୍ସିକ ରିପୋର୍ଟ ଦାଖଲ କରିସାରିଛି । ଖୁବଶୀଘ୍ର କେନ୍ଦ୍ରୀୟ ଫରେନ୍ସିକ ରିପୋର୍ଟ ମଧ୍ୟ ଦାଖଲ କରିବ କ୍ରାଇମବ୍ରାଂଚ ।