ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଚାନ୍ଦା ଦେଲେନି ବୋଲି ଜଣେ ଯୁବକ ଲହୁଲୁହାଣ ହୋଇଛନ୍ତି । ଗଡ଼ାଇତଡ଼ାଇ ମାଡ଼ ମାରିଛନ୍ତି ଚାନ୍ଦା କଲେକ୍ସନ କରୁଥିବା ଯୁବକ । ଏଭଳି ଗୁଣ୍ଡାଗର୍ଦ୍ଦି ଅନ୍ୟ କେଉଁଠି ନୁହେଁ ବରଂ ଘଟିଛି କମିଶନରେଟ ପୁଲିସ ଇଲାକାରେ । ଖଣ୍ଡଗିରି ଥାନା ଅଞ୍ଚଳରେ ହୋଇଥିବା ଏହି ଆକ୍ରମଣ ପ୍ରମାଣ କରୁଛି ଚାନ୍ଦା ପାଇଁ ପୁଲିସ କରିଥିବା ଗାଇଡ୍ ଲାଇନ୍କୁ ବାଏଁ ବାଏଁ ଉଡାଉଛନ୍ତି ଦୁର୍ବୃ୍ତ୍ତ । ପୁଲିସ ନ୍ରିୟମ କହୁଛି ଚାନ୍ଦା କାହାରିକୁ ଜୋର ଜବରଦସ୍ତ ମଗାଯାଇ ପାରିବ ନାହିଁ । ଯଦି ଏପରି କିଏ କରେ ପୁଲିସ ତାକୁ ମାମୁ ଘର ଦେଖାଇବ ।
ହେଲେ ଖଣ୍ଡଗିରି ଅଞ୍ଚଳରେ ଘଟିଥିବା ଏହି ଘଟଣା ତ’ ପୁଲିସର କଥା ପାଣିଗାର ବୋଲି ଏବେ ପ୍ରମାଣ କରୁଛି । ତେବେ ଆକ୍ରମଣରେ ଆହତ ହୋଇଥିବା ଯୁବକ ହେଉଛନ୍ତି ଆନନ୍ଦ ପାଟ୍ଟଶାଣୀ । ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେ ଏବେ ହସପିଟାଲରେ ଚିକିତ୍ସାଧୀନ । ଆନନ୍ଦ ଏମସ ହସ୍ପିଟାଲର ଆମ୍ବୁଲାସ ଡ୍ରାଇଭର । ବହୁ ଆଗରୁ ଆନନ୍ଦ ସ୍ଥାନୀୟ ଅସାମାଜିକ ଲୋକଙ୍କ ଟାର୍ଗେଟରେ ଥିଲେ । ଆନନ୍ଦଙ୍କୁ ବାରମ୍ବାର ବଟି ପାଇଁ ଚାପ ପକାଉଥିଲେ ଏହି ଅସାମାଜିକ ବ୍ୟକ୍ତି ମାନେ । ଆଗକୁ ଗଣେଷ ପୂଜା ପାଇଁ ସମସ୍ତଙ୍କ ପାଖରୁ ଚାନ୍ଦା ଆଦାୟ କରୁଥିଲେ ଏହି ବ୍ୟକ୍ତି ମାନେ ।
ଏହି ସୁଯୋଗ ଦେଖି ଆନନ୍ଦଙ୍କୁ ପ୍ରତି ଗାଡି ପିଛା ୧ଲକ୍ଷ ଟଙ୍କା ଚାନ୍ଦା ଦେବାକୁ କହିଥିଲେ । ଆନନ୍ଦଙ୍କର ୭ଟି ଗାଡି ସେଥିପାଇଁ ଯୁବକ ମାନେ ତାଙ୍କୁ ୭ ଲକ୍ଷ ଟଙ୍କା ମାଗିଥିଲେ । ଆନନ୍ଦ ଚାନ୍ଦା ଦେବାକୁ ମନା କରି ଦେଇଥିଲେ । ଏଥିରେ ରାଗି ଯାଇ ସମୀର ରାଉତରାୟ ଓ ତାଙ୍କ ସାଥୀ ମାନେ ମିଶି ଆକ୍ରମଣ କରିଥିବା ଆନନ୍ଦ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୁକ୍ତ ସମୀର ରାଉତରାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଆହୁରି ୧୫ଜଣ ଏବେ ବି ଫେରାର ରହିଥିବା ଜଣାପଡିଛି ।